ସୁବର୍ଣ୍ଣପୁର: ଖୋଲା ଆକାଶ ତଳେ ଜୀବନ ଜୀଉଁଛନ୍ତି 13 ପରିବାର । ପ୍ରବଳ ଶୀତ କାକରରେ ପଲିଥିନ ତଳେ ରହୁଛନ୍ତି ପ୍ରାୟ 60ରୁ ଅଧିକ ଲୋକ । ଖୋଲା ପଡିଆରେ କରାଯାଇଛି ରୋଷେଇ । ପଲିଥିନ ଓ ଠେଲାଗାଡି ଉପରେ ମାଆମାନେ ପିଲାଛୁଆଙ୍କୁ ଧରି ରାତ୍ରୀଯାପନ କରୁଛନ୍ତି । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ସହରର ପଟାଭାଡିର ଠାକୁରାଣୀ ପଡାରେ ।
ଗତ ବୁଧବାର ଦିନ 13 ଗୋଟି ପରିବାରକୁ ସରକାରୀ ଜମିରୁ ଉଚ୍ଛେଦ କରିବା ପରେ ଅସହାୟ ଭାବେ ଜୀବନ ଜୀଉଁଛନ୍ତି ପୀଡିତ ଲୋକେ । ପ୍ରାୟ ଦୁଇ ବର୍ଷରୁ ଅଧିକ ହେଲା ଲୁଲୁ ପଡିଆ କଡରେ ଝାଟିମାଟି ଓ ଆଜବେଷ୍ଟ ଦେଇ ଘର କରି ଏମାନେ ରହି ଆସୁଥିଲେ । ହେଲେ ଝାଟିମାଟିର ଘର ତିଆରି କରିବା ସମୟରେ ରାଜସ୍ବ ବିଭାଗ ନୀରବ ରହିଥିଲା । ପ୍ରାୟ ଦୁଇ ବର୍ଷ ପରେ ଏହି ଗରୀବ ଲୋକଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ବେଆଇନ ଭାବେ ଗଢି ଉଠିଥିବା ଘରକୁ ଭାଙ୍ଗି ଦିଆଯାଇଛି । ଏହି ପରିବାରମାନେ ପ୍ରଶାସନକୁ ସହରର କୌଣସି ଏକ ଜାଗାରେ ଥଇଥାନ କରିବା ପାଇଁ ନିବେଦନ କରିଥିଲେ । ପ୍ରଶାସନ ନଶୁଣିବାରୁ ଶୀତ ଦିନରେ ସେମାନଙ୍କୁ ବେଦଖଲ ନକରିବା ପାଇଁ ଅନୁରୋଧ କରିଥିଲେ ।