ସୁବର୍ଣ୍ଣପୁର : ଆଜିଠାରୁ ସୁବର୍ଣ୍ଣପୁର ସହରରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଲୋକ କଳା ଓ ନୃତ୍ୟ ମହୋତ୍ସବ 'ପଏଁରୀ ତିହାର' । ନୂଆବର୍ଷକୁ ସ୍ବାଗତ କରି ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତାର 24 ତମ ବାର୍ଷିକୋତ୍ସବ ପଏଁରୀ-2024 ପାଳନ କରୁଛି । ଜାତୀୟ ପାରମ୍ପରିକ ଲୋକନୃତ୍ୟରେ ଆଜି ପ୍ରାତଃରୁ ଦେବୀ ମା ସୁରେଶ୍ବରୀଙ୍କ ପୀଠରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନୂତନ ଟାଉନ ହଲକୁ ପହଁଚିଥିଲା । ଜାତୀୟ ତଥା ପ୍ରାଦେଶିକ ସ୍ତରରୁ ପ୍ରାୟ 20ଟି ସାଂସ୍କୃତିକ ଦଳ ନିଜ ନିଜର ଲୋକନୃତ୍ୟ ଗୀତ ଏହି ଉତ୍ସବରେ ପରିବେଷଣ କରିବେ । ଏହି ମହୋତ୍ସବରେ ପ୍ରାୟ 580 ଜଣ କଳାକାର ସାମିଲ ହେବେ ବୋଲି ପଏଁରୀ ପକ୍ଷରୁ ସୂଚନା ମିଳିଛି । ପ୍ରତିବର୍ଷ ପୁରୁଣା ଟାଉନହଲର ଭୀମଭୋଇଙ୍କ ମଂଚରେ ପଏଁରୀ ଉତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ନୂତନ ଟାଉନ ହଲରେ ଏହି ମହୋତ୍ସବ ପାଳନ କରାଯାଉଛି ।
ପଶ୍ଚିମ ଓଡିଶାର ରସରକେଲୀ ,ଡାଲଖାଇ ,ଚୁଟକୁଚୁଟା ,ବଜାଶାଲ , ମାଏଲାଜଡ ଆଦି ଲୋକ ନୃତ୍ୟ ସାଙ୍ଗକୁ ଇଜେଡସିସି ପକ୍ଷରୁ ବିହୁ ପରି ପାଞ୍ଚୋଟି ବାହାର ରାଜ୍ୟର ସାଂସ୍କୃତିକ ଦଳ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇଛନ୍ତି । ପ୍ରତିବର୍ଷ ପରି ଏଥର ବି ଜିଲ୍ଲାର ବଛା ବଛା ଲୋକନୃତ୍ୟ ଦଳକୁ ଏହି ମଞ୍ଚରେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିବାର ସୁଯୋଗ ସୃଷ୍ଟି କରାଯାଇଛି । ପଏଁରୀ ପକ୍ଷରୁ ଲୋକନୃତ୍ୟ କଳାକାର ଚିହ୍ନଟ କାର୍ଯ୍ୟକ୍ରମ ବି ରହିଛି । ଜାନୁୟାରୀ 2024 ପହିଲାରୁ ତିନି ଦିନ ଧରି ଏହି ଲୋକନୃତ୍ୟ ମହୋତ୍ସବ ପାଳନ କରାଯିବାକୁ ରହିଥିବା ବେଳେ ବର୍ଷର ପହିଲା ଦିନରେ ଆଜି ପ୍ରାତଃରୁ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ପ୍ରାତଃରୁ ଦେବୀ ମା ସୁରେଶ୍ବରୀଙ୍କ ପୀଠରୁ ଏହି ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନୂତନ ଟାଉନ ହଲଠାରେ ପହଂଚିବା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ କରାଯାଇଛି ।