ସୁବର୍ଣ୍ଣପୁର: ଆଧୁନିକ ସମୟରେ ମନୋରଞ୍ଜନର ଅନେକ ମାଧ୍ୟମ ରହିଛି । ତଥାପି ଗାଁ-ଗହଳିରୁ ଆରମ୍ଭ କରି ସହର ଯାଏଁ ଲୋକକଳାର ଆଦର ରହିଛି । ବିଶେଷ କରି ପଶ୍ଚିମ ଓଡିଶାରେ ଦେଖିବାକୁ ମିଳୁଥିବା ଦଣ୍ଡନୃତ୍ୟ, ଲୋକ ନୃତ୍ୟ, ପାଲା, ସଂଚାର ଆଦି ଲୋକକଳାର ଆଦର ବଢିଛି ସିନା କମିନାହିଁ । ଆଉ ଏହି ଲୋକକଳାକୁ ମଞ୍ଚ ଓ ଟେଲିଭିଜନ, ସିନେମା ତଥା ସାମାଜିକ ଗଣମାଧ୍ୟମ ଜରିଆରେ ଆହୁରି ଲୋକାଦୃତ କରାଯାଇପାରୁୁଛି ।
ଏହି କ୍ରମରେ ଲୋକକଳା ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇପାରୁଛି । ବିଭିନ୍ନ ପ୍ରକାରର ଲୋକନୃତ୍ୟ ମାଧ୍ୟମରେ ବିଭିନ୍ନ ଚରିତ୍ରମାନଙ୍କର ମଜାକିଆ ସଂଳାପ, କଥୋପକଥନ ମାଧ୍ୟମରେ ସଚେତନତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚା ଯାଇପାରୁଛି । ଲୋକେ ବି ବେଶ ଆଦରରେ ନିଜ ଚିହ୍ନା ପରିଚିତ ଲୋକ କଳାକାରଙ୍କ ଲୋକକଳାକୁ ଆଗ୍ରହର ସହିତ ଉପଭୋଗ କରୁଛନ୍ତି ।