ସୁବର୍ଣ୍ଣପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ନିଷ୍କାସନ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ତଳିଆ ଅଞ୍ଚଳ ଗୁଡିକରେ ବନ୍ୟାଜଳ ପ୍ରବେଶ କରିଛି ।
ସୁବର୍ଣ୍ଣପୁର ସହରର ତରିଆପଡ଼ାରେ ପ୍ରାୟ 4 ଫୁଟରୁ ଅଧିକ ପାଣି ରହିଛି । ପଡା ଲୋକେ ଘରୁ ଆଉ ବାହାରି ପାରୁ ନାହାଁନ୍ତି । ଘର ଭିତର ଗୁଡିକୁ ବନ୍ୟା ପାଣି ପଶି ଯାଇ ଆସବାବପତ୍ର ପାଣିରେ ଭାସୁଛି । ମତ୍ସ୍ୟଜୀବୀଙ୍କ ଅନେକ ଜାଲ ଡଙ୍ଗା ବନ୍ୟା ପାଣିରେ ଭାସି ଯାଇଛି । ସେପଟେ ତେଲନଦୀରେ ବି ବନ୍ୟା ପାଣି ଆସୁଥିବାରୁ ଉଭୟ ତେଲନଦୀ ଓ ମହାନଦୀ ମଝିରେ ତଳିଆ ଅଞ୍ଚଳରେ ଥିବା ଏହି ପଡାର ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି । ତେବେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସଦର ତହସିଲଦାର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହିତ ବନ୍ୟା ପୀଡିତଙ୍କ ସହିତ ଆଲୋଚନା କରିଛନ୍ତି ।