ଓଡିଶା

odisha

By

Published : Aug 19, 2019, 11:45 PM IST

ETV Bharat / state

ସଦର ବ୍ଳକର ପ୍ରଥମ ଜନଶୁଣାଣୀରେ 44ଟି ମାମଲା ସମାଧାନ

ସଦର ବ୍ଳକର ମିଳିତ ଜନଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲାର ଚାଷୀମାନଙ୍କୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର


ସୁବର୍ଣ୍ଣପୁର: ସଦର ବ୍ଳକର ସମ୍ମିଳନୀ କକ୍ଷରେ ମିଳିତ ଜନଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲାର ଚାଷୀମାନଙ୍କୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ ଅନିୟମିତ ବର୍ଷା ଯୋଗୁଁ ମରୁଡି ଓ ଏବେ ଲଘୁଚାପ ଜନିତ ବର୍ଷାରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଛି । ଧାନ ସାଙ୍ଗକୁ ପନିପରିବା ଓ ଡାଲି ଜାତୀୟ ଶସ୍ୟ ଚାଷ ବି କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ଆବଶ୍ୟକ ରୋଗପୋକ ଔଷଧ ସାଙ୍ଗକୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଜି ସଦର ବ୍ଳକର ସମ୍ମିଳନୀ କକ୍ଷରେ ପ୍ରଥମ ଥର ପାଇଁ ଆୟୋଜିତ ମିଳିତ ଜନଶୁଣାଣୀ ଓ କୃଷି ସମାଧାନ ଶିବିରରେ ଜନସାଧାରଣ କୃଷି କ୍ଷୟକ୍ଷତି ସାଙ୍ଗକୁ ବ୍ୟକ୍ତିଗତ ଅଭିଯୋଗମାନ ଜିଲ୍ଲାପାଳଙ୍କ ପାଖରେ ଉପସ୍ଥାପନ କରିଥିଲେ । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ସୌଭାଗ୍ୟ ଯୋଜନା, ମଧୁବାବୁ ପେନସନ ଯୋଜନା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ତଥା ଗାଁଗହଳିରେ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମସ୍ୟା ଗୁଡିକୁ ଅଭିଯୋଗ କରିଥିଲେ ।

ଜିଲ୍ଲାପାଳ ମନୀଷା ବାନାର୍ଜୀ ହିତାଧିକାରୀଙ୍କ ଅଭିଯୋଗ ବ୍ୟକ୍ତିଗତ ଭାବେ ଶୁଣିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଦୁଇ ସପ୍ତାହ ଭିତରେ ସମସ୍ୟା ସମାଧାନ କରି ତାଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ 44ଟି କେସର ସମାଧାନ କରିବା ସହ ସ୍ବାସ୍ଥ୍ୟ ସମସ୍ୟା ଜନିତ ଅସହାୟ ବ୍ୟକ୍ତିମାନଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପରିବହନ ଓ ଔଷଧ ପାଇଁ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ, ସଦର ତହସିଲଦାର, ବିଡିଓ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଅନେକ ଆଶା ନେଇ ଜନ ଶୁଣାଣୀ ଶିବିରକୁ ଆସିଥିବା ହିତାଧିକାରୀମାନେ ନୂତନ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉତ୍ତମ ବ୍ୟବହାର ଓ ହିତାଧିକାରୀଙ୍କ ସମସ୍ୟା ସମାଧାନ ନିମନ୍ତେ ନିର୍ଦ୍ଦେଶ ପ୍ରଦାନକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details