ସୁବର୍ଣ୍ଣପୁର: ଫାଇନାନ୍ସ କମ୍ପାନୀର ଦ୍ବାରା ଠକେଇର ଶିକାର ହେଲେ ୩୪ ଗ୍ରାହକ । ଏପରି ଠକେଇ ମାମଲା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରୁ । ନ୍ୟୁ ଅପ୍ରଚ୍ୟୁନିଟି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଫାଇନାନ୍ସ କମ୍ପାନୀ ଏଭଳି ଠକେଇ କରୁଥିବା ଅଭିଯୋଗ ହୋଇଛି । ଏହି ଫାଇନାନ୍ସ କମ୍ପାନୀର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଭୂ ରଞ୍ଜନ ଦେହୁରୀ ପ୍ରାୟ ସାଢ଼େ ବାର ଲକ୍ଷ ଟଙ୍କା ଗ୍ରାହକଙ୍କ ଋଣ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।
ତେବେ ବ୍ରାଞ୍ଚ ମ୍ୟାନେଜରକୁ ସଦର ଟାଉନ ଥାନା ପୋଲିସ ଗିରଫ କରିଛି । ଏହି କମ୍ପାନୀର ଏରିଆ ମ୍ୟାନେଜର ବିପିନ କୁମାର ସାହୁ ଏହି ଠକେଇ ସମ୍ପର୍କରେ ଗତ ମାର୍ଚ୍ଚ ତିନି ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିପିନଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଅରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଭୂ ରଞ୍ଜନ ଗ୍ରାହକଙ୍କ ଟଙ୍କା ବାଟମାରଣା କରିଥିବା ପ୍ରମାଣ ପାଇଥିଲା ପୋଲିସ । ତେବେ ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ କରି ଜିଲ୍ଲାର ଅଇଁଲାଛାଟ ଅଞ୍ଚଳରୁ ବିଭୂ ରଞ୍ଜନକୁ ଗିରଫ କରିବାରେ ସଫଳ ହୋଇଛି । ଗତକାଲି ସଦର ପୋଲିସ ଅଭିଯୁକ୍ତ ବିଭୁ ରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆୟୋଜିତ ସୂଚନା ଦେଇଛନ୍ତି ।