ସୁବର୍ଣ୍ଣପୁର: ଚଳିତ ଖରିଫ ଋତୁ ଧାନ କିଣା ସମୟ ସରିବାକୁ ବସିଲାଣି ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଟୋକନ ସମସ୍ୟା ସୁଧୁରିପାରିନି । ଜିଲ୍ଲାରେ ଏବେ ଅନେକ ମଣ୍ଡିରେ ଗାଡି ଆସୁନଥିବାରୁ ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି । ଜିଲ୍ଲାରେ ବୀରମହାରାଜପୁର ବ୍ଲକ ମହଦା ପ୍ୟାକ୍ସରେ ଧାନ ବିକ୍ରୀ ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ଅନେକ ଚାଷୀଙ୍କ ଟୋକନ ଆସିନାହିଁ । ଏହି ସବୁ ଦାବିର ସମାଧାନ ପାଇଁ ବାରମ୍ବାର ଚାଷୀ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ବି କେହି ନ ଶୁଣିବାରୁ ଚାଷୀମାନେ ସରସ୍ବତୀ ପୂଜାରେ ରାସ୍ତାରୋକ କହିଛନ୍ତି ।
ଚାଷୀମାନେ ରାସ୍ତାରେ ଧାନ ବସ୍ତା ରଖି ସୋନପୁର-ବୀରମହାରାଜପୁର ରାଜ୍ୟ ରାଜପଥ ମହଦା ଛକଠାରେ ଅବରୋଧ କରିଛନ୍ତି । ରାସ୍ତାରେ ଚାଷୀମାନେ ବିକ୍ଷୋଭ କରିଛନ୍ତି । ରାସ୍ତାରୋକ ଫଳରେ ସୋନପୁର-ବୀରମହାରାଜପୁର ମଧ୍ୟ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ତିନି ଘଣ୍ଟା ରାସ୍ତାରୋକ ଚାଲିବା ପରେ ପ୍ରଶାସନର ଲିଖିତ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା ।