ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଲିମ୍ବପାଲି ଗାଁରେ ପୁଣି ଛେଳି ମଡକ ଦେଖାଦେଇଛି । ପ୍ରାୟ 15 ଦିନ ଭିତରେ 100 ରୁ ଅଧିକ ଛେଳି ମରିଥିବା ଅଭିଯୋଗ ହୋଇଛି । ସେନେଇ ଛେଳି ପାଳକମାନେ ଛେଳିଙ୍କୁ ସୁରକ୍ଷା ଦେବାକୁ ଟୀକାକରଣ କରିବା ସହିତ ମୃତଛେଳି ପାଇଁ ଏବେ କ୍ଷତିପୂରଣ ଦାବି କରିଛନ୍ତି ।
ପ୍ରତିଦିନ ଗାଁରେ ଛେଳି ମରୁଥିବାବେଳେ ଛେଳି ପାଳନ କରି ଗୁଜୁରାଣ ମେଣ୍ଟାଉଥିବା ହରି ବାରକୁଟିଆଙ୍କ 15ଟି ଛେଳିର ମୃତ୍ୟୁ ହୋଇଛି । ଛେଳି ପାଳକମାନେ ଯାଲୋଏ ପଶୁ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ଦୌଡି ଆସୁଥିବାବେଳେ ଚିକିତ୍ସା ନପାଇ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏବେ ପ୍ରବଳ ଥଣ୍ଡା ପଡୁଥିବା ବେଳେ ଛେଳିମାନଙ୍କ କଣ୍ଠରେ ଘା' ହେଉଛି । ଫଳରେ ଛେଳିମାନେ କିଛି ଖାଇ ନପାରି ମୃତ୍ୟୁବରଣ କରୁଛନ୍ତି । ଏପରିକି ଏକ ଅଜଣା ଭୂତାଣୁ ଜନିତ ରୋଗ ବ୍ୟାପିଥିବା ଜିଲ୍ଲା ପଶୁ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।