ସୁବର୍ଣ୍ଣପୁର:ଜିଲ୍ଲାରେ ଦିନକୁ ଦିନ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଖରିଫ ଋତୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବା ବେଳେ ଗତ ରବି ଋତୁର ଧାନ ଚାଷୀମାନେ ଏଯାଏଁ ଫସଲ ବିକ୍ରୀ କରି ପାରିନାହାନ୍ତି । ଚାଷୀମାନଙ୍କ ନାମ ପଞ୍ଜିକରଣ ଓ ଚାଷଜମିର ଆକଳନ ତ୍ରୁଟିପୂର୍ଣ୍ଣ ହୋଇ ଥିବାରୁ ଶହ ଶହ ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରୀ କରି ପାରିନାହାନ୍ତି ।
ଜିଲ୍ଲାର ଆଟ ,ମାଳ ଓ ପଡିଆ କିସମ ଜମିର ଉତ୍ପାଦିତ ଧାନ ବିକ୍ରୀ କରି ନ ପାରିବାରେ ଜିଲ୍ଲା ପ୍ରଶାସନ ଦାୟୀ ବୋଲି ଅଭିଯୋଗ ହେଉଛି । ରବି ଋତୁରେ ଚାଷୀମାନେ ଆଟ ,ପଡିଆ ,ବେର୍ଣ୍ଣା ତଥା ମାଳ କିସମର ଜମିରେ ଉଠା ଜଳସେଚନ ମାଧ୍ୟମରେ ଚାଷ କରିଥିଲେ । ତେବେ ଚାଷଜମିର ଆକଳନ ସମୟରେ ରାଜସ୍ବ ବିଭାଗ କେବଳ ବାହାଲ କିସମ ଜମିରୁ ଉତ୍ପାଦିତ ଧାନ ବିକ୍ରୀ କରିବା ପାଇଁ ଅନୁମତି ଦେଇଥିବାରୁ ଏବେ ବି ଚାଷୀମାନେ ନିଜ ଧାନ ବିକ୍ରୀ କରି ନ ପାରି ଗଛିତ ରଖିଛନ୍ତି ।