ସୋନପୁର:ଗତବର୍ଷ ଖରିଫ ଋତୁ ଧାନ ସଂଗ୍ରହରେ ଅଚଳାବସ୍ଥାକୁ ନେଇ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଚାଷୀ ଅସନ୍ତୋଷ । ଠିକ ସମୟରେ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟ ଧାନ କ୍ରୟ କେନ୍ଦ୍ରକୁ ବିକ୍ରି କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାପ ସମୟରେ କ୍ବିଣ୍ଟାଲ ପିଛା ଦୁଇରୁ ଚାରି କେଜି ପର୍ଯ୍ୟନ୍ତ ଧାନ କଟନିଛଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯଦି ଏହାକୁ କେହି ଚାଷୀ ବିରୋଧ କରୁଛି ତା ଧାନ ମଣ୍ଡିରେ ପଡି ରହୁଛି । ଫଳରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଛି ।
ଜିଲ୍ଲାର ବୀରମହାରାଜପୁର ବ୍ଲକ ହିଲୁଙ୍ଗ ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ । ମିଲ୍ ମାଲିକମାନେ ଧାନ ଉଠାଉ ନଥିବାରୁ ଚାଷୀମାନେ ଏହାକୁ ବିରୋଧ କରି ବୀରମହାରାଜପୁର-ଚାରମାଲ ରାସ୍ତାର ପଥରଘାଟଠାରେ ଆଜି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଗମନାଗମନ ବାଧା ପ୍ରାପ୍ତ ହୋଇଛି । ଦୀର୍ଘ ପନ୍ଦର ଦିନ ପୂର୍ବରୁ ଧାନ ମଣ୍ଡିରେ ପଡ଼ି ରହିଥିଲେ ମଧ୍ୟ ମିଲର୍ସଙ୍କ ମନମାନୀ ଓ ପ୍ରଶାସନିକ ଅବହେଳା ଯୋଗୁଁ ଧାନ ଉଠିପାରୁ ନଥିବାରୁ ଖୋଲା ଆକାଶ ତଳେ ପଡିଛି ହଜାରହଜାର ଧାନ ବସ୍ତା ।