ସୁବର୍ଣ୍ଣପୁର:ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ସହେଲା ପଞ୍ଚାୟତର ଟୁନିଆଁମୁଣ୍ଡା ଗାଁରେ ଏକ ଜଳସେଚନ ପ୍ରକଳ୍ପ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଯୋଗକାରୀ ପୋଲିସ ନିକଟରେ ଅନୁରୋଧ କରିଛନ୍ତି ।
ଗ୍ରାମର ଚାଷୀ ଶଙ୍କର ପାଣ୍ଡେଙ୍କ ମା'ଙ୍କ ନାଁରେ ଏକ ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ତାଙ୍କ ଜମିକୁ ପାଣି ମାଡୁ ନ ଥିବା ଅଭିଯୋଗ ହୋଇଛି । ତାଙ୍କ ମା' ଭଗବତୀ ପାଣ୍ଡେଙ୍କ ନାଁରେ ଚାଷ ଜମି ରହିବା ସହିତ ବିଦ୍ୟୁତ ବିଲ ମଧ୍ୟ ଆସୁଛି । ହେଲେ ଶଙ୍କର ନିଜ ଜମିକୁ ଜଳସେଚନ କରିବାରୁ ବଞ୍ଚିତ ହେଉଛନ୍ତି । ଗାଁର ରାଜିନ୍ଦ୍ର ସାହା ନାମକ ବ୍ୟକ୍ତି ଶଙ୍କରଙ୍କ ମା'ଙ୍କ ଜାଲ କାଗଜ ପତ୍ର ତିଆରି କରି ଏକ ଉଠା ଜଳସେଚନ ପ୍ରକଳ୍ପ କରିଛନ୍ତି ।