ଓଡିଶା

odisha

By

Published : May 31, 2023, 6:23 PM IST

ETV Bharat / state

ବ୍ଲାଷ୍ଟ ଫର୍ନେସ ପାଲଟିଛି ସୁବର୍ଣ୍ଣପୁର, ଗ୍ରୀଷ୍ମର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ । ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଚଣ୍ଡ ତାତି ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ପାନୀୟ ଜଳ ସଙ୍କଟ ସହ ପଥଚାରୀଙ୍କ ଆଶ୍ରୟ ପାଇଁ ମଧ୍ୟ ଛାଇ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

ଗ୍ରୀଷ୍ମର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ
ଗ୍ରୀଷ୍ମର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ

ସୁବର୍ଣ୍ଣପୁର: ମେ' ମାସ ଶେଷ ହୋଇ ଆସିଲାଣି ଜୁନ୍‌ ମାସ । ହେଲେ ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ କମିବାରେ ନାଁ ନେଉନି । ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଗାଁରୁ ସହର ସବୁଠି ଦେଖା ଦେଇଛି ପାନୀୟ ଜଳ ସଙ୍କଟ । ବିଶେଷକରି ସହରରେ ମହାନଦୀ ଗର୍ଭରେ ପର୍ବତ ପ୍ରାୟ ପ୍ରସ୍ତର, କିଲୋମିଟର କିଲୋମିଟର ବ୍ୟାପି ବାଲୁକା ଶଯ୍ୟା, ମହାନଦୀର ସ୍ବଳ୍ପ ଜଳଧାରଣ ସହିତ ଜଳର ଧୀମା ପ୍ରବାହ, କଂକ୍ରିଟ ରାସ୍ତାଘାଟ ପାଇଁ ଦିନକୁ ଦିନ ବିକିରଣ ବୃଦ୍ଧି ପାଉଥିବାବେଳେ ସୁବର୍ଣ୍ଣପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଏବେ ପ୍ରଚଣ୍ଡ ଖରାରେ ମଣିଷରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ପାଣି ମୁନ୍ଦାଏ ଖୋଜି ବୁଲିବା ସହ ଟିକିଏ ଆଶ୍ରୟ ନେବା ପାଇଁ ଛାଇ ମୁହାଁ ହେଉଛନ୍ତି ।

ଜିଲ୍ଲାରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଇଥିବାବେଳେ ଜିଲ୍ଲା ପ୍ରଶାସନ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ , ସହରାଞ୍ଚଳ ଜଳ ଯୋଗାଣ ବିଭାଗ ଆବଶ୍ୟକୀୟ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସଚେତନତା ଓ ସୁବିଧା ସୁଯୋଗ ସୃଷ୍ଟି କରାଯାଇ ନଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ସହରରେ ଅନେକ ପାନୀୟ ଜଳର ପ୍ରକଳ୍ପ ଥିଲେ ମଧ୍ୟ ଅଧିକାଂଶ ପ୍ରକଳ୍ପରୁ ଗରମ ପାଣି ବାହାରୁଛି ।

ପ୍ରକଳ୍ପ ଥିବାରୁ ସଦର ପୌର ପରିଷଦ ପକ୍ଷରୁ ଚଳିତ ବର୍ଷ ଆଦୌ ଜଳଛତ୍ର ଖୋଲା ଯାଇନାହିଁ । ଫଳରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସହରକୁ ସରକାରୀ କାର୍ଯ୍ୟରେ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମେ' ମାସରେ ଦିନେ ଦୁଇ ଦିନ କାଲବୈଶାଖୀ ଜନିତ ବର୍ଷା ପାଇଁ ଲୋକେ ଟିକିଏ ଆଶ୍ବସ୍ତି ଅନୁଭବ କରିଥିଲେ । ହେଲେ ଆଜକୁ ପ୍ରାୟ ସପ୍ତାହେ ହେଲା ପ୍ରଚଣ୍ଡ ରୌଦ୍ର ତାପରେ ଜନଜୀବନ ବିପନ୍ନ ହୋଇପଡିଛି । ମଧ୍ୟାହ୍ନ ସମୟରେ ରାସ୍ତା ଘାଟ ଶୂନଶାନ ହୋଇପଡଥିବାବେଳେ ସନ୍ଧ୍ୟାରେ ଖୋଲୁଛି ଦୋକାନ ବଜାର ।

ଏହାସହ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ରାସ୍ତା ପ୍ରଶସ୍ତିକରଣ ପାଇଁ ହଜାର ହଜାର ଗଛ କାଟି ଦିଆଯାଇଥିବାରୁ ଏବେ ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ଛାଇ ସ୍ଥାନ ନାହିଁ । ଦିନ ଥିଲା, ସହରର ବିଭିନ୍ନ ରାସ୍ତାରେ ହଜାର ହଜାର ଆମ୍ବ ,ନିମ୍ବ ,ଜାମୁ ଆଦି ଗଛ ଲାଗିଥିଲା । ସୋନପୁର ମହାବିଦ୍ୟାଳୟ ରାସ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା, ପଟାଭାଡି ରାସ୍ତାରେ ବ୍ୟାପକ ପରିମାଣରେ କୃଷ୍ଣଚୁଡା ଓ ରାଧାଚୁଡ଼ା ଗଛ ସହ ପଳାଶ ବଣ ରହିଥିଲା । ହେଲେ ଗଛ ସବୁ କାଟି ଦିଆଯାଉଥିବାରୁ ଏବେ ଦିନକୁ ଦିନ ସହରରେ ଉତ୍ତାପ ବଢିବାରେ ଲାଗିଛି । ସେହିପରି ମହାନଦୀରେ ସ୍ବଳ୍ପ ପାଣି ପ୍ରବାହ ଓ କମ ଜଳଧାରଣ ପାଇଁ ସୁବର୍ଣ୍ଣପୁର ଏବେ ବ୍ଲାଷ୍ଟ ଫର୍ନେସରେ ପରିଣତ ହୋଇଛି । ଗ୍ରୀଷ୍ମରୁ ଜିଲ୍ଲାବାସୀଙ୍କୁ ଆଶ୍ବସ୍ତି ଦେବା ପାଇଁ ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details