ସୁବର୍ଣ୍ଣପୁର:ଅସୁରକ୍ଷିତ ସୋନପୁର ଗଡଜାତର ସର୍ବ ପ୍ରାଚୀନ ରାମେଶ୍ବର ମନ୍ଦିର । ମୁଖଶାଳାର ମରାମତି ପାଇଁ ଦେବୋତ୍ତର କମିଟି ପକ୍ଷରୁ ଦାବି । ତେବେ ଦୀର୍ଘ ଦିନରୁ ପ୍ରାଚୀନ ରାମେଶ୍ବର ମନ୍ଦିରର ମୁଖଶାଳାରେ ଫାଟ ସୃଷ୍ଟି ହୋଇଛି । ଯାହା ଫଳରେ ବର୍ଷା ଦିନରେ ମନ୍ଦିର ଉପରୁ ବର୍ଷା ପାଣି ସିଧା ସଳଖ ବୃଷଭ ଦେବଙ୍କ ଉପରେ ପଡି ମନ୍ଦିରର ମୁଖଶାଳା ଭିତରେ ଜମି ରହୁଛି । ମୁଖଶାଳାର ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ତାହା ମନ୍ଦିରର ଗର୍ଭଗୃହ ଭିତରକୁ ପ୍ରବେଶ କରି ପାଦୁକ ନାଳ ମାଧ୍ୟମରେ ବାହାରକୁ ନିଷ୍କାସିତ ହେଉଛି ।
ସେବାୟତମାନେ ବର୍ଷା ଦିନରେ ଦୈନନ୍ଦିନ ନୀତିକାନ୍ତି କରିବା ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ମଧ୍ୟ ନଳା ପାଣି ଭିତରେ ଯାଇ ଗର୍ଭଗୃହରେ ବାବା ରାମେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରରେ ଖାଲି ଫାଟ ନୁହେଁ, ମୁଖଶାଳା ଓ ମୁଖଶାଳା ସଂଲଗ୍ନ ଗର୍ଭଗୃହରେ ଶିଉଳି ହେଉଛି । ମୁଖଶାଳାର ଚଟାଣ ଚିକ୍କଣ ହୋଇ ଥିବାରୁ ଶ୍ରଦ୍ଧାଳୁ ଓ ସେବାୟତମାନଙ୍କ ଗୋଡ ଖସି ଯିବାର ସମ୍ଭାବନା ରହୁଛି । ତେବେ ଇତିମଧ୍ୟରେ ମନ୍ଦିରର ପରିସର ଓ ବାହାରେ ଅନେକ ଉନ୍ନୟନ କାର୍ଯ୍ୟ ହୋଇଥିବା ବେଳେ ମୁଖଶାଳା ମରାମତି କାର୍ଯ୍ୟ ପାଇଁ କେହି ଧ୍ୟାନ ଦେଉ ନାହାନ୍ତି । ସେବାୟତ ଓ ମନ୍ଦିର କମିଟି ପକ୍ଷରୁ ଜିଲ୍ଲା ଦେବୋତ୍ତର ବିଭାଗ ପାଖରେ ମନ୍ଦିରର ରକ୍ଷଣା ବେକ୍ଷଣ, ମରାମତି, ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ଦେବୋତ୍ତର ବିଭାଗ ନୀରବ ରହୁଥିବା ଅଭିଯୋଗ ହେଉଛି ।