ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀର ବିକାଶ ନାଁରେ ପାଣିରେ ପଡିଲା 48 ଲକ୍ଷ ଟଙ୍କା । ପାଣିରେ ପୋଡିଗଲା 15 ଲକ୍ଷ ଟଙ୍କା । ବିଭାଗୀୟ ସମନ୍ବୟ ଅଭାବରୁ 63 ଲକ୍ଷ ଟଙ୍କା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଚିକିତ୍ସାଳୟକୁ ନିରବଛିନ୍ନ ବିଦ୍ୟୁତ ସରୋବରାହ ପାଇଁ 48 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପୁଣି 15 ଲକ୍ଷ ଟଙ୍କା ଜେନେରେଟର ପାଇଁ ଡିଜେଲ କିଣାଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ପରେ ଏହି ଘଟଣା ସାମାନାକୁ ଆସିଛି ।
ପ୍ରାୟ 4 ବର୍ଷ ତଳେ ଜିଲ୍ଲା ବିଦ୍ୟୁତ ଗ୍ରୀଡରୁ ମୁଖ୍ୟ ଚିକିତ୍ସାଳୟକୁ ଏକ ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା । ତତ୍କାଳୀନ ଜିଲ୍ଲାପାଳ ରବିନ୍ଦ୍ର ପ୍ରତାପ ସିଂ ଚିକିତ୍ସାଳୟର ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ଏକ ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥିଲେ । ତେବେ ସହରାଞ୍ଜଳ ବିଦ୍ୟୁତ ସହିତ ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ ସଂଯୋଗର କୌଣସି ସଂପର୍କ ନ ଥିଲା । ସହରାଞ୍ଚଳରେ କୌଣସି କାରଣରୁ ବିଦ୍ୟୁତ ବିଭ୍ରାଟ ହେଲେ ବି ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ରହୁଥିଲା । ତେବେ ଏହି ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ପ୍ରାୟ ଦୁଇ ତିନିମାସ କାର୍ଯ୍ୟକାରୀ ହେବା ପରେ ପୁଣି ସହରାଞ୍ଚଳ ସହିତ ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ ବ୍ୟବସ୍ଥାକୁ ସଂଯୋଗ କରି ଦିଆଯାଇଛି । ତେବେ ସ୍ବତନ୍ତ୍ର ବିଦ୍ୟୁତ ବ୍ୟବସ୍ଥା ଥିଲେ ହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜେନେରେଟର ଚଲାଇବାକୁ 15 ଲକ୍ଷ ଟଙ୍କାର ଡିଜେଲ କିଣାଯାଇଛି ।