ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିକ୍ଷା ଅଧିକାର ଆଇନର ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ ମାମଲା ଗୁଡିକର ଶୁଣାଣି କରିଥିଲେ। ଘରୋଇ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ସହିତ ସରକାରୀ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ଅଭାବ, ବିଦ୍ୟାଳୟରେ ଲାଗି ରହିଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ତଥା ବନ୍ଦ ହୋଇ ପଡିଥିବା ବିଭିନ୍ନ ଗାଁର ପ୍ରାଥମିକ ବିଦ୍ୟାଳୟ ଉପରେ କମିଶନ ଶୁଣାଣି କରିଥିଲେ ।
ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଆଦି ସମସ୍ୟା ମାନ କମିଶନଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ଗାଁର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅନିୟମିତତା ତଥା ଛାତ୍ର ଉପସ୍ଥାନ ସଂପର୍କରେ ଥିବା ସମସ୍ୟା ଗୁଡିକ କମିଶନ ଶୁଣି ନିଷ୍ପତ୍ତି ପ୍ରଦାନ କରିଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାର ଶିଶୁ ହିତାଧିକାରୀଙ୍କ ସମେତ ଶିକ୍ଷକ, ଅଭିଭାବକ ଓ ଶିକ୍ଷା ଅଧିକାରୀ ମାନେ ସାମିଲ ହୋଇଥିଲେ ।