ସୁବର୍ଣ୍ଣପୁର: ଜିଲ୍ଲାରେ ଦେବୀଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋରଦାର ଧରିଛି । ସହରର ବଡବଜାର, ଶ୍ରୀଗୁଣ୍ଡିଚା ମନ୍ଦିର ପଡା, ଘୋଡାଘାଟ ପଡା, ବ୍ଲକ ଛକ, ଟିକିରି ପଡା, ଥନାପତି ପଡା ଆଦି ସ୍ଥାନରେ ପୂଜା କମିଟି ସବୁ ଲାଗି ପଡିଛନ୍ତି ମାଙ୍କ ଆଗମନ ପାଇଁ। ମୂର୍ତ୍ତିକାରଙ୍କ ଠାରୁ ଆରମ୍ଭ କରି ପୂଜା ମଣ୍ଡପ ସଜାଉଥିବା କାରିଗର ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରି ନିର୍ଦ୍ଧାରିତ ସମୟ ଭିତରେ କାମ ସାରିବା ଲାଗି ଦିନରାତି ଏକ କରିଦେଇଛନ୍ତି ।
ଏଥର ପୂଜା କମିଟିଗୁଡିକ ପରିବେଶ ଅନୁକୂଳ ଦ୍ରବ୍ୟର ବ୍ୟବହାର କରି ପୂଜା ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବାକୁ ବି ନିଷ୍ପତ୍ତି ନେଇଛନ୍ତି। ପୂଜା ମଣ୍ଡପର ସାଜସଜ୍ଜା ପାଇଁ ବେଶ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ପୂଜା କମିଟିଗୁଡିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସହର ସାରା ବିଜ୍ଞାପନ ଦେଖିବାକୁ ମିଳୁଛି । ତେବେ ଏଥର ମା'ଙ୍କ ଆଗମନ ଓ ଐତିହାସିକ ବଳିଯାତ୍ରା ପାଇଁ ସହର ଏବେଠୁ ଉତ୍ସବମୁଖର ହୋଇ ଉଠିଛି ।