ସୁବର୍ଣ୍ଣପୁର: ଦୁଇଦିନ ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଆନନ୍ଦ ଉଲ୍ଲାସର ସହିତ ଲୋକେ ପାଳନ କରିବେ ଏହି ପର୍ବକୁ । ବାଣ ଫୁଟାଇବା ଉପରେ କଟକଣା ଲାଗିବା ପରେ ସୁବର୍ଣ୍ଣପୁରରେ ବଢିଛି ଦୀପର ଚାହିଦା । ମା ଲକ୍ଷ୍ମୀଙ୍କୁ ଧୂପ ,ଦୀପ ଓ ନୈବେଦ୍ୟ ଦେଇ ପୂଜା ଆରାଧନା କରିବାକୁ ପ୍ରସ୍ତୁତ ସହରବାସୀ ।
ଅମାବାସ୍ୟାର ଏହି ଅନ୍ଧାରକୁ ଦୂର କରିବାକୁ ବର୍ଷ କରେ ଥରେ ଆସେ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ପାଳନ କରିବାକୁ ପ୍ରସ୍ତୁତି ଜୋର ଧରିଛି । ଘରେ ,ବଜ଼ାରରେ ଦେବୀ ମା ଲକ୍ଷ୍ମୀଙ୍କୁ ଆରାଧନା ପାଇଁ ଲୋକେ ସଫା ସୁତୁରା କରି ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରିଛନ୍ତି ଘର ଓ ଦୋକାନ ବଜ଼ାର। ସହରର ଅଷ୍ଟ ଚଣ୍ଡୀଙ୍କ ପୀଠରେ ଦୈନିକ ହଜ଼ାର ହଜ଼ାର ଶ୍ରଦ୍ଧାଳୁ ଦୀପ ଦାନ କରିଥାନ୍ତି ।
ଦୀପାବଳି ପାଇଁ ବଢୁଛି ଦୀପର ଚାହିଦା ଦୀପାବଳୀରେ ଲୋକେ କ୍ୟାଣ୍ଡେଲ ଅପେକ୍ଷା ମାଟି ଦୀପକୁ ବେଶ ପସନ୍ଦ କରୁଛନ୍ତି । ତେଣୁ ମାଟି କାରିଗର ମାନେ ଲକ୍ଷ ଲକ୍ଷ ଦୀପ ତିଆରି କରିଛନ୍ତି । ଆଉ ଏଥର କୋରୋନା ପାଇଁ ବାଣ ଉପରେ ପ୍ରଶାସନିକ କଟକଣା ଥିବାରୁ ଲୋକେ ମାଟି ଦୀପ ଓ ବିଭିନ୍ନ ପ୍ରକାରର ରଙ୍ଗୀନ ଆଲୋକରେ ନିଜ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ସଜେଇ ଦୀପାବଳୀ ପର୍ବ ପାଳନ କରିବା ପାଇଁ ମନସ୍ଥ କରିଛନ୍ତି ।
ସେହିପରି ପରି କୋରୋନା କାଳରେ ମାଟି କାରିଗର ମାନେ ତିଆରି କରୁଥିବା ବିଭିନ୍ନ ପ୍ରକାରର ମାଟି ପାତ୍ରର ବିକ୍ରିବଟା ସେତେ ଭଲ ନ ଥିଲେ ବି ଦୀପାବଳୀ ପାଇଁ ବିଭିନ୍ନ ଆକୃତିର ସୌଖିନ ମାଟିଦୀପ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବାନେଇ ଆଶା ରଖିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ