ସୁବର୍ଣ୍ଣପୁର:ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସରପଞ୍ଚ ସଂଘର ସଭାପତି ଗଣନାଥ ସାହୁଙ୍କ ନେତୃତ୍ବରେ ଶତାଧିକ ପଞ୍ଚାୟତର ସରପଞ୍ଚମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି । ସରକାରୀ ଯୋଜନା ତୃଣମୂଳ ସ୍ତରରେ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଞ୍ଚାୟତଗୁଡିକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ଏଥିରେ ପଞ୍ଚାୟତ ସମିତିର ବ୍ଳକ ଉନ୍ନୟନ ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁଁ ଯୋଜନାଗୁଡ଼ିକ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି ।
ତେବେ ଗ୍ରାମ ପଞ୍ଚାୟତ ସ୍ତରରେ ହେଉଥିବା ବିକାଶମୂଳକ କାର୍ଯ୍ୟର ଅନୁଦାନ ଖର୍ଚ୍ଚ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ବାକ୍ଷରର ଆବଶ୍ୟକତା ରହିଛି ବୋଲି ଅଭିଯୋଗ କରିଛନ୍ତି । ଫଳରେ ବିଡିଓଙ୍କ ପରିଦର୍ଶନ ଓ ଫାଇଲରେ ସ୍ବାକ୍ଷର କରିବା ପରେ ହିଁ ଅନୁଦାନ ଖର୍ଚ୍ଚ ହୋଇ ପାରୁଛି । ସେହିପରି ଗରୀବ, ନିଷ୍ପେସିତ, ଅବହେଳିତ ତଥା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ହେଲେ ଅନେକ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମସଭା ମାଧ୍ୟମରେ ଚୟନ କରାଯାଇ ଥିଲେ ମଧ୍ୟ ହିତାଧିକାରୀଙ୍କ ନାମ ଆର୍ଥିକ ଓ ସାମାଜିକ ପଛୁଆ ଶ୍ରେଣୀର ତାଲିକାରେ ନଥିବାରୁ ସେହି ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇ ପାରୁନଥିବା ମଧ୍ୟ ଅଭିଯୋଗ ହେଉଛି ।