ସୁବର୍ଣ୍ଣପୁର:ସରକାରୀ ଜମି ଜବରଦଖଲ ଉଚ୍ଛେଦ । ଥଇଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ କ୍ଷତିଗସ୍ତ । ସହରର ପଟାଭାଡିର କ୍ଷତିଗ୍ରସ୍ତ ପରିବାରର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପିଲାଙ୍କୁ ଧରି ଧାରଣା ଦେବା ସହିତ ସେଠାରେ ରୋଷେଇ ମଧ୍ୟ କରିଛନ୍ତି । ରାଜସ୍ବ ବିଭାଗ ଓ ସଦର ପୌର ପରିଷଦ ପକ୍ଷରୁ ପଟାଭାଡିରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଏହାର ପ୍ରତିବାଦ କରି ଲୋକେ ଆନ୍ଦୋଳନ କରିଛନ୍ତି ।
ଗୁରୁବାର ପ୍ରାୟ ସାତୋଟି ପରିବାରର ଘର ଭାଙ୍ଗିବା ପାଇଁ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚିଥିଲା । ଘଟଣାସ୍ଥଳରେ ଲୋକେ ଏହାକୁ ବିରୋଧ କରିବାରୁ ପ୍ରଶାସନ ପକ୍ଷରୁ 7 ଦିନ ସମୟ ଦିଆଯାଇଛି । ତେବେ ବାଧ୍ୟ ହୋଇ ଏମାନେ ଘର ନିଜେ ଭାଙ୍ଗିବା ଆରମ୍ଭ କରିଛନ୍ତି । ପ୍ରାୟ ତିନି ବର୍ଷ ହେଲା ସହରର ତଳି ଅଞ୍ଚଳ ଭାବେ ପରିଚିତ ପଟାଭାଡିର ଲୁଲୁ ପଡିଆ ପାର୍ଶ୍ବରେ ଘର ତିଆରି କରି ଏମାନେ ରହି ଆସୁଥିଲେ । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲ ନୋଟିସ ଦିଆ ଯାଇଥିଲା । ତେବେ ଲୁଲୁ ପଡିଆକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ସଦର ପୌର ପରିଷଦ ପଡିଆ ପାର୍ଶ୍ବରେ ଲୋକେ ମାଡି ବସିଥିବା ସରକାରୀ ଜମିକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ନୋଟିସ ଜାରି କରିଥିଲେ । ଏପରିକି ନୋଟିସ ଅବଧି ସରିବା ପରେ ଜବରଦଖଲକାରୀ ସରକାରୀ ଜମି ଖାଲି ନ କରିବାରୁ ଘର ଗୁଡିକ ଭାଙ୍ଗି ଦେବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।