ଭୁବନେଶ୍ବର: ଶରୀରରୁ ସିନା ଅକ୍ଷମ ମାତ୍ର ମନୋବଳରେ ସୁଦୃଢ ଦିବ୍ୟାଙ୍ଗ । ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସର୍ବଦା ଆଗଭର ସେମାନେ । ସେଥିପାଇଁ ଡିସେମ୍ବର 3କୁ ବିଶ୍ବ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଦିବ୍ୟାଙ୍ଗଙ୍କ ମନୋବଳ ବଢାଇବା ପାଇଁ ପାଳିତ ହୋଇଛି ବିଶ୍ବ ଭିନ୍ନକ୍ଷମ ଦିବସ ।
ବୌଦ୍ଧ ଜିଲ୍ଲାର ଟାଉନହଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର ଉତ୍ସବ । ଉତ୍ସବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନୃତ୍ୟ, ଗୀତ, ଅଭିନୟ, ମିମିକ୍ରି ଭଳି ବିଭିନ୍ନ ଦିଗରେ ଛାତ୍ରଛାତ୍ରୀ ଅତି ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିଲେ । ବିଶେଷ ଭାବେ ଦୃଷ୍ଟିହୀନ ଛାତ୍ରଙ୍କ ଦ୍ବାରା ବିଭିନ୍ନ ପଶୁପକ୍ଷୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବରକୁ ନକଲ କରିବା ।
ଅନ୍ୟପକ୍ଷେ ସୁବର୍ଣ୍ଣପୁରରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଏହି ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଣେ ବୈଦେଶିକ ସ୍ବେଚ୍ଛାସେବୀ ଉର୍ଲିକ ଜାସିନ ଯୋଗଦେଇ ସମ୍ବଲପୁରୀ ଭାଷାରେ ଦିବ୍ୟାଙ୍ଗଙ୍କ ପାଇଁ ଆନ୍ତର୍ଜାତିକ ସ୍ତରରେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ତାଙ୍କର ଅଭିଭାଷଣ ରଖିଥିଲେ । ଅନ୍ୟ ମାନଙ୍କ ଭିତରେ ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇ ଜିଲ୍ଲାର ଭିନ୍ନକ୍ଷମ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବି ଆଲୋଚନା କରିଥିଲେ ।