ସୁବର୍ଣ୍ଣପୁର: ଆଜି ଧୂମାବତୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ । ଆସନ୍ତାକାଲି ଦେବୀ ମା’ ରାଜରାଜେଶ୍ବରୀ ବେଶ ଧାରଣ କରିବେ। ତେବେ ଦେବୀ ମା’ ସୁରେଶ୍ବରୀ ଆଶ୍ବିନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମା’ ଧବଳମୁଖୀ ବେଶ ଧାରଣ କରୁଥିବା ବେଳେ ପରବର୍ତ୍ତି ଦଶମୀ ତିଥି ଯାଏଁ ତାରା , ଷୋଡ଼ଶୀ , ଭୈରବୀ , ଭୂବନେଶ୍ବରୀ , ମହାଲକ୍ଷ୍ମୀ ,ବଗଳାମୁଖୀ, ଜୟଦୁର୍ଗା, ମହିଷାମର୍ଦ୍ଧୀନି , ଧୂମାବତୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରିବାର ପରମ୍ପରା ରହିଛି।
ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଙ୍ଗର ବସ୍ତ୍ର ପ୍ରଦାନ କରାଯାଉଥିବା ବେଳେ ଆଜି କିନ୍ତୁ ଦେବୀ ମା’ ସୁନା ଓ ରୂପା ଆଭୂଷଣରେ ସଜ୍ଜିତ ହୋଇ ଶ୍ବେତ ପାଟ ବସ୍ତ୍ର ପରିଧାନ କରିଛନ୍ତି । ମହାଳୟାରେ ସେବାୟତମାନେ ଗଙ୍ଗାଜଳ, ଅଗୁର, ଚନ୍ଦନ, କର୍ପୁର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରୁଥିବା ବେଳେ ଅନ୍ୟ ଦିନରେ ଦେବୀମା କଳା, ହଳଦିଆ, ହାଲକା ଫଗୁ ରଙ୍ଗ ତଥା ସବୁଜ ବସ୍ତ୍ର ପରିଧାନ କରିଥାନ୍ତି।