ସୁବର୍ଣ୍ଣପୁର:ଭକ୍ତଙ୍କ ପାଇଁ ଜଗତ ଠାକୁରଙ୍କ ଅନେକ ଲୀଳା । ଉଚ୍ଚ, ନୀଚ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ନିଜ ଆଶିଷ ତଥା କୃପା ପ୍ରଦାନ କରନ୍ତି ଭକ୍ତ ବତ୍ସଳ ଜଗତ ଠାକୁର । ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତି, ତାକୁ ସେ କୋଳେଇ ନିଅନ୍ତି। ତେବେ କଳାସାଆନ୍ତଙ୍କ ଆଶିଷ ଲାଭ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ପୁରୀ ଅଭିମୁଖେ ଏକ ଭକ୍ତ ।
ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା କୋରବାଇ ତହସିଲ ଅନ୍ତର୍ଗତ ଦାଦୁରା ଗ୍ରାମ ପଂଚାୟତର ଶ୍ରଦ୍ଧାଳୁମାନେ ଆଜକୁ 21 ଦିନ ହେଲା ବାହାରିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ । ଧୂ ଧୂ ଟାଣ ଖରାରେ ଖାଲି ପାଦରେ ନିଜ ଗାଁରୁ 21 ଦିନ ପରେ ସାତ ଶହ କିଲୋମିଟର ବାଟ ଖାଲି ପାଦରେ ଚାଲି ଚାଲି ମଙ୍ଗଳବାର ପହଞ୍ଚିଛନ୍ତି ସୁବର୍ଣ୍ଣପୁର ସହରରେ। ତେବେ ଅଳ୍ପ କିଛି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ରୋଷେଇ ପାଇଁ କିଛି ବାସନ ନିଜ ଝୁଲି ମୁଣାରେ ଧରି ଛଅ ଜଣ ଶ୍ରଦ୍ଧାଳୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ଅଭିଳାଷ ରଖି ଏଇ ପ୍ରଚଣ୍ଡ ଗ୍ରୀଷ୍ମରେ ବାହାରି ପଡିଛନ୍ତି।