ବୌଦ୍ଧ:ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକ ଐତିହ୍ୟ ସମ୍ପନ୍ନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଛି । ଏଗୁଡିକର ବିକାଶ ହୋଇ ନପାରିବାରୁ ଏଗୁଡିକ ଅବହେଳିତ ହୋଇ ପଡିରହିଛି । ତେବେ ଏସବୁ ପର୍ଯ୍ୟଟନସ୍ଥଳୀକୁ କିପରି ବିକାଶିତ କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସେଠାରେ ନିଯୁକ୍ତି ସୃଷ୍ଟି କରାଯାଇ ପାରିବ ସେ ନେଇ ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ।
ପର୍ଯ୍ୟଟନସ୍ଥଳୀର ବିକାଶ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବ: କନ୍ଧମାଳ ସାଂସଦ - ଜିଲ୍ଲା ପ୍ରଶାସନର ଉଦ୍ୟମ ଆରମ୍ଭ
ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସମସ୍ତ ଉଦ୍ୟମ କରାଯିବା ନେଇ ମତ ପ୍ରକାଶ କଲେ ସାଂସଦ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରକୃତି ପର୍ଯ୍ୟଟନ ଭରି ରହିଥିବା ବେଳେ ଏହାର ବିକାଶ ହେଲେ ସ୍ଥାନୀୟ ନିଯୁକ୍ତିର ମଧ୍ୟ ବିରାଟ ସମ୍ଭାବନା ସୃଷ୍ଟି ହୋଇପାରିବ ।

ପୂର୍ବରୁ ମଧ୍ୟ ବୌଦ୍ଧ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ଅଣ୍ଟା ଭିଡିଛି । ସାଂସଦ ସାମନ୍ତଙ୍କ ସୂଚନା ପରେ ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ନେଇ ଆଗାମୀ ଦିନରେ ଏକ ବିରାଟ ସମ୍ଭାବନା ସୃଷ୍ଟି ହୋଇଛି ।
ବୌଦ୍ଧ ଟାଉନହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହୀରାଞ୍ଚଳର ସଂପାଦକ ଯୁଗଳ ସାମଲଙ୍କ ସଭାପତିତ୍ବ ଅନୁଷ୍ଠିତ ଉତ୍ସବରେ ସାଂସଦଙ୍କ ସହିତ କଣ୍ଟାମାଳ ବିଧାୟକ ମହୀଧର ରଣା,ବରିଷ୍ଠ ସାମ୍ବାଦିକ ରବି ଦାସ,ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟା, ସମାଧାନ ଓ ସମ୍ଭାବନା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ତେବେ ବିଶେଷ ଭାବରେ ଜିଲ୍ଲାରେ ପର୍ଯ୍ୟଟନକୁ ନେଇ ଏକ ବିରାଟ ସମ୍ଭାବନା ଥିବାରୁ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯିବ ନେଇ ମତ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ