ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ । ବେଆଇନ ଭାବେ ଗଢ଼ି ଉଠିଥିବା ଘର ଉପରେ ବୁଲଡୋଜର ଚଢ଼ାଇଛି ଜିଲ୍ଲା ପ୍ରଶାସନ । ଏପରିକି ସହରର ରିଂରୋଡ ପାଇଁ ଆବଶ୍ୟକ କରୁଥିବା ସରକାରୀ ଜମିର ସୁରକ୍ଷା ପାଇଁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ତେବେ ଏହି ଜବରଦଖଲ ଉଚ୍ଛେଦରୁ ବାଦ ପଡିବେ ନାହିଁ ବଡବଡିଆ ଲୋକେ । ଏଭଳି ମନ୍ତବ୍ୟ ଦେଇଛନ୍ତି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ।
ସୂଚନାନୁସାରେ ଗତ ତିନି ଦିନ ହେଲା ସହରର ବିଭିନ୍ନ ଯାଗାରେ ଜବରଦଖଲ ଉଚ୍ଛେଦ ଚାଲିଛି । ରିଂ-ରୋଡ ପାଇଁ ଆବଶ୍ୟକ କରୁଥିବା ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବା ପରେ ଲୁଲୁ ପଡିଆକୁ ସୁରକ୍ଷା ଦେବା ପାଇଁ ଉଚ୍ଛେଦ ଅଭିଯାନ ଜାରି ରହିଛି । ଅନ୍ୟପଟେ ଲୁଲୁ ପଡିଆ ପାର୍ଶ୍ବରେ ଆଜକୁ ତିନି ବର୍ଷ ତଳୁ ଘର କରି ରହୁଥିବା ଗରିବ ପରିବାରର ଘର ଭାଙ୍ଗି ଦିଆଯିବାରୁ ଏବେ ଖୋଲା ଆକାଶ ତଳେ ଏହି ଗରିବ ପରିବାରମାନେ ଜୀବନ ଜୀଉଁଛନ୍ତି ।
ଏହି କ୍ଷତିଗ୍ରସ୍ତ ପରିବାର ଲୋକେ ଥଇଥାନ ଦାବିରେ ଦିନେ ପୂର୍ବରୁ ତହସିଲ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିବାବେଳେ ଶୁକ୍ରବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ କ୍ଷତିଗ୍ରସ୍ତ ପରିବାର ସହିତ ଆଲୋଚନା କରି ଯୋଗ୍ୟ ପରିବାର ଗୁଡିକୁ ଯାଗା ମିଶନ ଅବା ବସୁନ୍ଧରା ଯୋଜନାରେ ସାମିଲ କରି ଥଇଥାନ କରାଯିବ ବୋଲି କହିଛନ୍ତି । ଏହାସହ କ୍ଷତିଗ୍ରସ୍ତଙ୍କ ଅଭିଯୋଗ କ୍ରମେ କୌଣସି ବି ବଡ ବଡିଆ ଲୋକ ଜବରଦଖଲ ଉଚ୍ଛେଦରୁ ବାଦ ପଡିବେ ନାହିଁ ବୋଲି କହିଛନ୍ତି ।