ସୁବର୍ଣ୍ଣପୁର:ପଶ୍ଚିମାଞ୍ଚଳ ବିଦ୍ୟାଳୟ ଗୁଡିକରେ କୋଶଳୀ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପାଇଁ ପୁଣି ଦାବି ଉଠିଛି । ଜିଲ୍ଲା ସଦର ମହକୁମା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ କୋଶଲ ଭାଷା ସାହିତ୍ୟ ଓ ସଂସ୍କୃତି ଏକାଡେମୀ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଏହି ଦାବି ଉପସ୍ଥାପନ କରାଯାଇଛି । କୋଶଲୀ ଭାଷା ତଥା ଶିଶୁ ଜନ୍ମ ହେବା ପରେ କହୁଥିବା ଭାଷାରେ ଶିକ୍ଷା ପ୍ରଦାନ ନ କଲେ ତାର ଶିକ୍ଷା ଅସଂପୂର୍ଣ୍ଣ ରହିଯିବ ବୋଲି ଅଭିଯୋଗ କରିଛନ୍ତି କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ।
ଛାତ୍ରଛାତ୍ରୀମାନଙ୍କର କଥିତ ଭାଷାରେ ଶିକ୍ଷା ପ୍ରଦାନ କରାଗଲେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ମାନସିକ ବିକାଶ ହୋଇପାରିବ । ଏକାଡେମୀ ଗଠନ ହେବା ଦିନ ଠାରୁ ଆଜକୁ 12 ବର୍ଷରୁ ଅଧିକ ସମୟ ହେଲା କଥିତ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇ ଆସୁଛି । କୋଶଳୀ ଭାଷା ,ସାହିତ୍ୟ ଓ ସଂସ୍କୃତି ଏକାଡେମୀ କୋଶଳୀ ଭାଷା ଉପରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଏହି ଦାବି ଉପସ୍ଥାପନ କରଛନ୍ତି କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଅନୁସାରେ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନର ପ୍ରାବଧାନ ରହିଛି ହେଲେ ପଶ୍ଚିମ ଓଡିଶାର ଶିଶୁମାନଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସେମାନଙ୍କ ମାତୃଭାଷା କୋଶଳୀରେ ଶିକ୍ଷାଦାନ ନିମନ୍ତେ କୌଣସି ସରକାର ବା ସରକାରୀ ସ୍ଥରରେ ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ।