ସୁବର୍ଣ୍ଣପୁର: ସୁବର୍ଣ୍ଣପୁର-ସମ୍ବଲପୁର-ଗୋପାଳପୁର ପ୍ରସ୍ତାବିତ ରେଳଲାଇନ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦେଇ ନିର୍ମାଣ କରିବା ପାଇଁ ପୁଣି ଦାବି ଜୋର ଧରିଛି । ଆଜି ସହରର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନ କରାଯାଇଛି ।
ନାଗରିକ ମଞ୍ଚର ସଭାପତି ସିତାଂଶୁ ମିଶ୍ରଙ୍କ ନେତୃତ୍ବରେ ମଞ୍ଚର କାର୍ଯ୍ୟକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯୋଗାଯୋଗ କ୍ଷେତ୍ରରେ ଅଶୀ ଦଶକରୁ ଆରମ୍ଭ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ତୁରନ୍ତ ସଂପୂର୍ଣ୍ଣ କରିବା ସହିତ ସମ୍ବଲପୁର-ଗୋପାଳପୁର ରେଲୱେ ଲାଇନକୁ ସୁବର୍ଣ୍ଣପୁର ସହର ଦେଇ ନିର୍ମାଣ କରିବାକୁ ଦାବି କରିଛନ୍ତି । ତେବେ ଏହି ନୂତନ ରେଲୱେ ପ୍ରକଳ୍ପ ସମ୍ବଲପୁର-ରେଢାଖୋଲ-ବୌଦ୍ଧ ଦେଇ ଗୋପାଳପୁରକୁ ନେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ କରିଛନ୍ତି ।