ସୁବର୍ଣ୍ଣପୁର: ସହର ଦିନକୁ ଦିନ ମରୂଭୂଇଁରେ ପରିଣତ ହେଉଛି । ସହରରେ ଥିବା ପୁରୁଣା ଗଛସବୁ ଉନ୍ନୟନ ନାଁରେ କାଟି ଦିଆଯାଇଛି । ଏବେ ସହରର ବିଭିନ୍ନ ରାସ୍ତା ପ୍ରଶସ୍ତି କରଣ ନାଁରେ ନୂତନ ଗଛସବୁ କାଟିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସହରର ମହାନଦୀରୁ ତେଲନଦୀ ଯାଏଁ ଫୋର ଲେନ ରାସ୍ତା ପାଇଁ ପ୍ରାୟ 8 ବର୍ଷ ତଳେ ଲାଗିଥିବା ଗଛସବୁ ଗୃହ ଓ ପୂର୍ତ୍ତ ବିଭାଗ କାଟିବା ପାଇଁ ନିଷ୍ପତ୍ତି ନେଇଛି । ଫଳରେ ଏବେ ସହର ବୃକ୍ଷ ଶୂନ୍ୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଗ୍ରୀନ ମହାନଦୀ ମିଶନ ଫେଲ ମାରିଥିବା ଦେଖିବାକୁ ମିଳୁଛି ।
ରାସ୍ତା ପ୍ରଶସ୍ତି କରଣ ପାଇଁ ପ୍ରାୟ 11 ଶହ ଗଛ କାଟିବା ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି । ଯାହାକୁ ସହରର ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ବୁଦ୍ଧିଜିବୀ ମହଲରେ ତୀବ୍ର ବିରୋଧ ହେଉଛି । ବର୍ଷକୁ ବର୍ଷ ସହରରେ ଉତ୍ତାପ ବଢୁଛି । ଲୋକେ ଗ୍ରୀଷ୍ମରେ ଗଛର ଛାଇ ଟିକିଏ ଖୋଜୁଛନ୍ତି । ଯେଉଁ ସହର ମହାନଦୀ ଓ ତେଲନଦୀ ସଂଗମରେ ସବୁଜ ବନାନୀରେ ଭରପୁର ଥିଲା ଓ ଲୋକେ ଆରାମ ଦାୟକ ଗ୍ରୀଷ୍ଣର ମଜା ନେଉଥିଲେ ,ତାହା ଏବେ ତତଲା କଢେଇରେ ପରିଣତ ହୋଇଛି ।