ସୁବର୍ଣ୍ଣପୁର: ବନ ବିଭାଗକୁ ମିଳିଛି 31 ଲକ୍ଷ 60 ହଜ଼ାର ଟଙ୍କାର କ୍ଷତିପୂରଣ ସହାୟତା ଅନୁଦାନ । ଚଳିତ ବର୍ଷ ଖରିଫ ଋତୁରେ ହାତୀପଲଙ୍କ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ କ୍ଷତିପୂରଣ ସହାୟତା ରାଶି ମିଳିଥିବା ବେଳେ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ଚାଷୀ ନେତା ପ୍ରେମାନନ୍ଦ ନାୟକଙ୍କ ନେତୃତ୍ବରେ ଏକ ଚାଷୀ ପ୍ରତିନିଧି ଦଳ ଚାଷୀଙ୍କ ଧାନ ଫସଲ କ୍ଷତି ସମ୍ପର୍କରେ ଜିଲ୍ଲା ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଦିନକୁ ଦିନ ହାତୀ ଉପଦ୍ରବ ବଢୁଥିବା ବେଳେ ବନ ବିଭାଗ ନୀରବ ରହୁଥିବା ବି ଅଭିଯୋଗ ହୋଇଛି । ବିଶେଷକରି ଉଲୁଣ୍ଡା ଓ ବିନିକା ରେଞ୍ଜରେ ଲୋକେ ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି । ହାତୀ ପଲ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରୁଥିବା ବେଳେ ହାତୀ ଘଉଡାଇବା ପାଇଁ ବନ କର୍ମଚାରୀ ମାନେ ସଚେତନ ନ ଥିବା ଅଭିଯୋଗ ହେଉଛି।ବନ ବିଭାଗ ପକ୍ଷରୁ ହାତୀ ଟ୍ରାକିଂ ଦଳ ଗଠନ କରାଯାଇଛି। ହେଲେ ଟ୍ରାକିଂ ଦଳ ହାତୀଙ୍କ ଗତି ଉପରେ ଲୋକଙ୍କୁ ସଚେତନ କରୁ ନାହାନ୍ତି। ଗତ କିଛି ଦିନ ହେଲା ବିନିକା ବ୍ଳକ ମଣିଗାଁ ,ଗଣେଶପୁର ,ଗୁଲାପଡା ଓ ଝରାପଡାରେ ହାତୀପଲ ବ୍ୟାପକ ଉପଦ୍ରବ କରୁଛନ୍ତି । ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମହାନଦୀ କୂଳରେ ହୋଇଥିବା ଶହ ଶହ ଏକର ରବି ଧାନଚାଷ ଦଳିମକଚି ନଷ୍ଟ କରି ଦେଇଛନ୍ତି । ଉଲୁଣ୍ଡା ବ୍ଳକ ସିଂହାସନ ଜଂଗଲରେ 17 ଘର ହାତୀ ସ୍ଥାୟୀ ଭାବେ ରହୁଥିବା ବନ ବିଭାଗର ହାତୀ ଗଣନାରୁ ଜଣା ପଡିଛି। ତିନୋଟି ଦନ୍ତା ହାତୀ ,ନଅ ଘର ମାଈ ହାତୀ ଓ ପାଞ୍ଚୋଟି ହାତୀ ଶାବକ ଚନ୍ଦଲି ଓ ସିଂହାସନ ରିଜର୍ଭ ଜଙ୍ଗଲରେ ରହୁଥିବା ବେଳେ ଆଖପାଖ ଅଂଚଳରେ ବ୍ୟାପକ ଉପଦ୍ରବ କରିବା ସହିତ ବିନିକା ବ୍ଳକକୁ ଯାଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି ।