ସୁବର୍ଣ୍ଣପୁର:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି କଂଗ୍ରେସ । ଆସନ୍ତାକାଲି ବ୍ଲକ୍ ଘେରାଉ କରିବ 6 ଗୋଟି ବ୍ଲକର ଜିଲ୍ଲା କଂଗ୍ରେସ କମିଟି । ଏନେଇ ଗତକାଲି ପ୍ରୋଗ୍ରେସ୍ ଇନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।
ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆସନ୍ତାକାଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମସ୍ତ ବ୍ଲକ୍ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ 6 ଗୋଟି ବ୍ଲକରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଘେରାଉ କରାଯିବ । ଏଥିସହ କଂଗ୍ରେସ କମିଟି ପ୍ରତିଟି ବ୍ଲକ୍ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେବାକୁ ଥିବା ବେଳେ ଜନସାଧାରଣ ବି ଏହି ଆନ୍ଦୋଳନରେ ସାମିଲ ହେବାକୁ ଜିଲ୍ଲା କଂଗ୍ରେସ ସଭାପତି ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ନାରୀ ନିର୍ଯାତନା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି ସୂବର୍ଣ୍ଣପୁର କଂଗ୍ରେସ । ସେହିପରି ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ହୁ ହୁ ହୋଇ ଦରଦାମ ବୃଦ୍ଧି ହେଉଥିବା ବେଳେ ଦରଦାମ ସରକାର ନିୟନ୍ତ୍ରଣ କରି ପାରୁ ନାହାଁନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ବେକାରୀ ସମସ୍ୟା ଲାଗି ରହିଥିବା ବେଳେ ଯୁବ ଗୋଷ୍ଠୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଓ ପ୍ରଶିକ୍ଷଣ ଆଧାରରେ ନିଯୁକ୍ତି ଦିଆଯାଇ ପାରୁନଥିବା କଂଗ୍ରେସ ଅଭିଯୋଗ କରିଛି ।