ସୁବର୍ଣ୍ଣପୁର : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାନ କ୍ରୟକୁ ନେଇ ଆଜକୁ 11 ଦିନ ହେଲା ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ସେହିପରି ବିନିକା ତହସିଲ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ମଧ୍ୟ ଧାନବସ୍ତା ରଖି ପ୍ରତିବାଦ କରିଛନ୍ତି ।
ଆଗାମୀ ସୋମବାର ଦିନ ଡଙ୍ଗୁରିପାଲିରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଜିଲ୍ଲା କଂଗ୍ରେସ ନିଷ୍ପତ୍ତି ନେଇଛି । ତେବେ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ସମାଧାନ ହେଉ ନ ଥିବାରୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରଖିବା ସହିତ ଧାନ ସଂଗ୍ରହ ନୀତିକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଛି । ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ସବୁ ବଳକା ଧାନ ସଂଗ୍ରହ କରିବା, ସମସ୍ତ ଲ୍ୟାପ୍ସ ଟୋକନ ପୁନଃକାର୍ଯ୍ୟକ୍ଷମ କରିବା ,ରବି ଧାନ କ୍ରୟ ସମୟ ସୀମା ଆଗାମୀ ଜୁଲାଇ 15 ପର୍ଯ୍ୟନ୍ତ ବର୍ଦ୍ଧିତ କରିବା , ଧାନ କୁଇଣ୍ଟାଲ ପ୍ରତି ଚାଷୀଙ୍କୁ 5 ଶହ ଟଙ୍କା ବୋନସ ପ୍ରଦାନ କରିବା ,କେନ୍ଦ୍ର ସରକାର ତୁରନ୍ତ ଧାନ କୁଇଣ୍ଟାଲ ପ୍ରତି 2930 ଟଙ୍କାକୁ ବର୍ଦ୍ଧିତ କରିବା ଦାବି କରି ଏହି ଆନ୍ଦୋଳନ କରାଯାଉଛି ।