ସୁବର୍ଣ୍ଣପୁର: ସନାତନ ଧର୍ମ ଉପରେ ଅଶାଳୀନ ଓ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସୁବର୍ଣ୍ଣପୁରର ପରିବର୍ତ୍ତନ ସ୍ବେଚ୍ଛାସେବୀ ଅନୁଷ୍ଠାନ । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନାଥ ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମେଲେରିଆ, କୋଭିଡ ୧୯ ଭଳି ରୋଗ ସହିତ ସମକକ୍ଷ କରି ସନାତନ ଧର୍ମକୁ ମୂଳୋତ୍ପାଟନ କରିବା ଭଳି ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ସୁବର୍ଣ୍ଣପୁରରେ ମଧ୍ୟ ଯୋରଦାର ବିରୋଧ କରାଯାଇଛି । ଏପରିକି ଉଦୟନାଥ ଷ୍ଟାଲିନଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି ।
ଉଦୟନାଥ ଷ୍ଟାଲିନଙ୍କ ଏଭଳି ମନ୍ତବ୍ୟକୁ ସଂଗଠନ ତୀବ୍ର ନିନ୍ଦା କରିଛି । ରାଜନୈତିକ ଫାଇଦା ତଥା ସଂଖ୍ୟାଲଘୁ ସଂପ୍ରଦାୟର ଭୋଟ ହାତେଇବାକୁ ଏଭଳି ଘୃଣ୍ୟ ମନ୍ତବ୍ୟ ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି । ଯେଉଁ ମନ୍ତବ୍ୟ ପାଇଁ ଆଜି ସେ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । ଜାତୀୟ ତଥା ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ହେଲେ ସେ ଗଣମାଧ୍ୟମର ମୁଖ୍ୟ ପ୍ରସଙ୍ଗ ହୋଇ କିଛି ଦିନ ରହିବା ପାଇଁ ଏଭଳି ଏକ ବିବାଦୀୟ ବିବୃତି ତଥା ମନ୍ତବ୍ୟ ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି । ଉଦୟନାଥ ଷ୍ଟାଲିନଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ପରିବର୍ତ୍ତନ ପକ୍ଷରୁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି। ସେହିପରି ବିପକ୍ଷ ଦଳଗୁଡିକ ଉଦୟନାଥ ଷ୍ଟାଲିନଙ୍କ ଏହି ମନ୍ତବ୍ୟ ଉପରେ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସଂଗଠନ ଦାବି କରିଛି ।