ସୁବର୍ଣ୍ଣପୁର: ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଧୂଆଁଧାର ପ୍ରଚାର ଚାଲିଛି । ବିଜେଡିର ଷ୍ଟାର ପ୍ରଚାରକ ପଦ୍ମନାଭ ବେହେରା ଗାଁ ଗାଁରେ ପଦଯାତ୍ରା କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି । ପ୍ରତିଟି ଗାଁରେ ପଥପ୍ରାନ୍ତ ସଭା ସମିତି ଆୟୋଜନ କରି ବିଜେଡିକୁ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କରୁଛନ୍ତି । ବିନିକା ବ୍ଳକ ଅଏଁଲାମୁଣ୍ଡାରେ ପଦଯାତ୍ରା କରିବା ସହିତ ଗାଁର ବିଭିନ୍ନ ସମସ୍ୟା ଉପରେ ଭୋଟରଙ୍କ ସହ ଆଲୋଚନା କରିଛନ୍ତି ।
ସ୍ଥାନୀୟ ଅଞ୍ଚଳର ଜଳସେଚନ, ପିଇବା ପାଣି, ଗାଁ ରାସ୍ତା,ବିଦ୍ୟାଳୟ ଆଦି ସମସ୍ୟାର ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଭୋଟରଙ୍କୁ ଅବଗତ କରୁଛନ୍ତି । ଭୋଟରଙ୍କୁ ବିଭିନ୍ନ ପ୍ରତିଶୃତି ଦେବା ସହ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛନ୍ତି ପଦ୍ମନାଭ । ପ୍ରାୟ 35 ବର୍ଷର ରାଜନୈକିତ ଜୀବନରେ 11 ଗୋଟି ସାଧାରଣ ନିର୍ବାଚନରେ ନିଜେ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ବେଳେ 8 ଥର ବିଜୟ ଲାଭ କରିଛନ୍ତି ।