ସୁବର୍ଣ୍ଣପୁର:ଲୋୟର ପିଏମଜି ଠାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନିରଞ୍ଜନ ତ୍ରୀପାଠୀଙ୍କ ନେତୃତ୍ବରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ମହାବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ବି ସୁରକ୍ଷିତ ନଥିବା ଅଭିଯୋଗ କରିଛନ୍ତି । ଯେଉଁଠି ବଡବଡ ରାଜନୈତିକ ବ୍ୟକ୍ତି ବିଶେଷ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରକ୍ଷିତ ନୁହଁନ୍ତି, ସେଠାରେ ଜନସାଧାରଣ କେତେ ସୁରକ୍ଷିତ ବୋଲି ବିଜେପି ପ୍ରଶ୍ନ କରିଛି । ଏପରିକି ରାଜ୍ୟ ଶାସନ ପକ୍ଷରୁ ପୋଲିସ ଦମନ ନୀତିକୁ ତୀବ୍ର ଭାବେ ନିନ୍ଦା କରାଯାଇଛି। ଗଣତାନ୍ତ୍ରିକ ଉପାୟରେ ରାଜ୍ୟ ସରକାରଙ୍କ ନୀତି ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଉପରେ ବି ପୋଲିସ ଦମନ ମୂଳକ ନୀତି ଅବଲମ୍ବନ କରୁଥିବାରୁ ଜନସାଧାରଣଙ୍କ ସ୍ବରକୁ ଦବେଇ ଦିଆଯାଉଥିବା ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ।