ସୁବର୍ଣ୍ଣପୁର: ବୀରମହାରାଜପୁର ପଞ୍ଚାୟତ ସମିତିର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ବିଜେପି ଦାବି କରିଛି । ପ୍ରଶାସନିକ ତଦାରଖ ଅଭାବରୁ ବିକାଶ ମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନଜରକୁ ଆସିବା ପରେ ଜିଲ୍ଲା ବିଜେପି କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଦାବି ରଖିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତାର ପ୍ରମାଣ ମିଳିବା ପରେ ବି ପ୍ରଶାସନ ନୀରବ ହୋଇ ରହିଥିବା ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।
ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଏହି ଅନିୟମିତତା ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ ବିଡିଓ, ସହକାରୀ ଯନ୍ତ୍ରୀ, ଏପିଓ, ସଂଗ୍ରାମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଡିପିଟିଏ ଓ ଜିଆରଏସଙ୍କୁ ଗତ ଏପ୍ରିଲ 20ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଚିଠି ପାଇବାର 7 ଦିନ ଭିତରେ କାରଣ ନ ଦର୍ଶାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସରକାରୀ ଯୋଜନାରେ ଅନିୟମିତତା ହୋଇଥିବା ଗ୍ରାମବାସୀ ପୂର୍ବରୁ ଅଭିଯୋଗ କରି ଆସୁଥିଲେ ।