ସୁବର୍ଣ୍ଣପୁର:ହାଇଟେକ ବସଷ୍ଟାଣ୍ଡ ନିର୍ମାଣ ନେଇ ତେଜିଲା ଦାବି । ସହରକୁ ଦୈନିକ ଶହ ଶହ ଜନସାଧାରଣ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସୁଛନ୍ତି । ହେଲେ ବସଷ୍ଟାଣ୍ଡରେ ଯାତ୍ରୀ ଓ ପର୍ଯ୍ୟଟକମାନେ ସମ୍ମୁଖୀନ ହେଉଥିବା କୌଣସି ପ୍ରକାର ସମସ୍ୟାରେ ଏଯାଏ ସୁଧାର ଆସି ପାରିନାହିଁ। ଯାହାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ଜିଲ୍ଲା ବିଜେପି।
ସୁବର୍ଣ୍ଣପୁର ଜିଲ୍ଲା ଐତିହାସିକ କିର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ। ତେଣୁ ହଜାର ହଜାର ପର୍ଯ୍ୟଟନ ଏଠାକୁ ଆସିଥାନ୍ତି। ହେଲେ ଜିଲ୍ଲାରେ ଥିବା ବସଷ୍ଟାଣ୍ଡ ଗୁଡ଼ିକରେ ରହିଛି ସର୍ବନମ୍ନ ସୁବିଧା। ପୁରୁଣା ଯାତ୍ରୀ ବିଶ୍ରାମାଗାରଟି ଭୂତକୋଠିରେ ପରିଣତ ହୋଇ ସାରିଛି। ବିଶ୍ରାମାଗାରରେ ଆଜି ପର୍ଯ୍ୟନ୍ତ ବିଜୁଳି,ପାନୀୟ ଜଳ,ଚୌକି ଓ ସୂଚନା କେନ୍ଦ୍ର ଆଦିର ବ୍ୟବସ୍ଥା ନଥିବା ବେଳେ ମାଗଣା ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ। ଯାହା ଫଳରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ କୌଣସି ଯୋଜନା କରାଯାଇ ପାରୁନାହିଁ ।