ସୁବର୍ଣ୍ଣପୁର: ସହରରେ କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ସୁବର୍ଣ୍ଣପୁରପୌର ପରିଷଦ ଫେଲ ମାରିଥିବା ଅଭିଯୋଗ । ସହରର ଅନେକ ସ୍ଥାନରେ କଠିନ ବର୍ଯ୍ଯବସ୍ତୁରେ କୃତ୍ରିମ ପାହାଡ଼ ସୃଷ୍ଟି ହୋଇଛି । ଫଳରେ ସହର ଭିତରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ସହରରେ ପରିମଳ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ, ସ୍ବଚ୍ଛତାର ବାସ୍ତବ ଚିତ୍ର କିଛି ଭିନ୍ନ । ସଦର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ସଫେଇ କାର୍ଯ୍ୟକ୍ରମରେ ମିଳୁଥିବା ଅନୁଦାନ ଓ ପୌର ପରିଷଦର ଅନୁମୋଦିତ ଅର୍ଥ ବାଟ ମାରଣା କରୁଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି ।
ପରିଷ୍କାର ପରିଛନ୍ନତା ଦିଗରେ ଧ୍ୟାନ ଦିଆଯାଉନ ଥିବାବେଳେ ସଫେଇ ନାଁରେ ସରକାରୀ ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ବିଜେପି ସଭାପତି କହିଛନ୍ତି, "ପୂର୍ବରୁ ସୁବର୍ଣ୍ଣପୁରରେ ପରିମଳ ବ୍ୟବସ୍ଥା ବେଶ ଭଲ ଥିଲା ଏବଂ ସ୍ବଳ୍ପ ଖର୍ଚ୍ଚରେ ସଠିକ ଦିଗରେ ଅର୍ଥ ବିନିଯୋଗ ହେଉଥିଲା । କିନ୍ତୁ ବର୍ତ୍ତମାନ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ୪୦ ପ୍ରତିଶତ କାର୍ଯ୍ୟ ହେଉନାହିଁ ।" ସଦର ପୌର ପରିଷଦ ପକ୍ଷରୁ ୱାର୍ଡ ଗୁଡିକର ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଘରୋଇ କରଣ କରାଯାଇଛି ।
ଠିକାଦାରକୁ ବିପୁଳ ଅର୍ଥ ପ୍ରଦାନ କରାଯାଉଛି । ହେଲେ ଠିକାଦାର ଓ ପୌର ପରିଷଦ କର୍ତ୍ତୃପକ୍ଷ ମିଳିତ ଭାବେ ସରକାରୀ ଅର୍ଥ ହରିଲୁଟ୍ କରୁଥିବା BJP ଅଭିଯୋଗ କରିଛି । ଯାହା ଫଳରେ ସହରବାସୀଙ୍କ ସରଳ ସୁନ୍ଦର ଓ ଶାନ୍ତି ଜୀବନ ଯାପନ ଉପରେ ପ୍ରଭାବ ପକାଉଛି । ପୌରପରିଷଦ ଏ ଦିଗରେ ଧ୍ୟାନ ନ ଦେଲେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ବିଜେପି ଚେତାବନୀ ଦେଇଛି ।