ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏନେଇ ଏକ ସମୀକ୍ଷା ବୈଠକ କରିଥିବାବେଳେ କିଭଳି ଭାବେ କୋଭିଡ ପରିଚାଳନା କରାଯାଉଛି ତାହା ପଚାରି ବୁଝିଛନ୍ତି ।
ତେବେ ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତରଙ୍କ ସହ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟ ସରଞ୍ଜାମ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୌଣସି ପୋଷ୍ଟ ଅଫିସ ନୁହଁ ଯେ ଲୋକ ଆସିଲେ ଅନ୍ୟତ୍ର ସ୍ଥାନାନ୍ତର କରିଦେବା । ସାଧାରଣ ଲୋକଙ୍କ ସେବା ପାଇଁ ଟିକିଏ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସାଂସଦ କହିଛନ୍ତି । ଆହୁରି ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଭେଣ୍ଟିଲେଟର ଥିଲେ ହେଁ ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଲୋକ ନାହାନ୍ତି । ଅଲଟ୍ରାସାଉଣ୍ଡ ମେସିନ ଅଛି ରେଡିଓଗ୍ରାଫର ନାହାନ୍ତି । ତେବେ କିଭଳି କୋଭିଡ ରୋଗୀଙ୍କ ଚିକିତ୍ସା କରାଯାଉଥିବ ଏଥିରୁ ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି ।