ସୁବର୍ଣ୍ଣପୁର: ପାତାଳି ଶ୍ରୀକ୍ଷେତ୍ର ଭାବରେ ପରିଚିତ ମହାପ୍ରଭୂ ଶ୍ରୀବଡ ଜଗନ୍ନାଥଙ୍କ ଘୋଷଯାତ୍ରା ଆରମ୍ଭ ହୋଇଛି । ଆଜି ସହରରେ ଗଡ ଭିତରର ଶ୍ରୀମନ୍ଦିରରୁ ଶ୍ରୀବଡ ଜଗନ୍ନାଥ ଭଉଣୀ ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ସହିତ ବାହାରି ରଥାରୁଢ ହୋଇଥିଲେ ।ସଂଧ୍ୟାରେ ତିନିଠାକୁର ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆସି ରଥଖଳାକୁ ପହଂଚିଥିଲେ ।
ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର ସମ୍ମୁଖରେ ଉପନ ଭୋଗ କରାଯାଇ ସଂଧ୍ୟା ଆରତୀ କରାଯିବା ପରେ ବିଗ୍ରହମାନଙ୍କୁ ହାତୀଶାଳର ରଥଖଳାରେ ରଥାରୁଢ କରାଯାଇଛି । ସେହିପରି ଘୋଡାଘାଟ ପଡାର ଦଧିବାମନ ମହାପ୍ରଭୂଙ୍କୁ ପହଣ୍ଡି କରାଯାଇ କଇଁଥତଳେରେ ରଥାରୁଢ କରାଯାଇଛି । ଆଗାମୀ ଦୁଇଦିନ ଧରି ଶ୍ରୀ ବଡ ଜଗନ୍ନାଥଙ୍କ ରଥଟଣା କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ହଜାର ହଜାର ଶ୍ରଦ୍ଧାଳୁ ତିନିଠାକୁର ଓ ଦଧିବାମନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।