ସୁବର୍ଣ୍ଣପୁର: ବାଲ୍ୟ ବିବାହ ଏକ ସାମାଜିକ ଅପରାଧ । ଏହା ଜାଣି ମଧ୍ୟ ଅନେକ ଜିଲ୍ଲାରେ ବାଲ୍ୟ ବୟସରେ ଝିଅମାନଙ୍କୁ ବିଦ୍ୟାଳୟକୁ ପାଠ ପଢାଇବା ବଦଳରେ ଶାଶୁଘରକୁ ପଠାଯାଉଛି । ହାତରେ ବହି ଧରାଇବା ବଦଳରେ ଝିଅମାନଙ୍କ ହାତରେ ଖରିକା ଧରାଯାଉଛି । ଏ ନେଇ ସଚେତନତାର ଅଭାବରୁ ଅନେକ ଜିଲ୍ଲାରେ ବାଲ୍ୟ ବିବାହ ବଢିବାରେ ଲାଗୁଛି । ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏ ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।
ଜିଲ୍ଲାର ଗାଁ ଗହଳିରୁ ସହର ଯାଏଁ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ପର୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 753 ଗୋଟି ଗ୍ରାମକୁ ସମାଜ ମଙ୍ଗଳ ବିଭାଗ ଦ୍ୱାରା ବାଲ୍ୟବିବାହ ମୁକ୍ତ ଗ୍ରାମ କରିବା ନିମନ୍ତେ ଗ୍ରାମବାସୀ ଓ ସମ୍ପୃକ୍ତ ଗ୍ରାମର ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହାୟତାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣାକୁ ସାକାର କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବାଲ୍ୟ ବିବାହ ପ୍ରତିରୋଧ ସଚେତନତା "ସଂକଳ୍ପ ରଥ "କୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।