ସୁବର୍ଣ୍ଣପୁର: ଭୋଇପାଲି ଗାଁର ବୃଦ୍ଧ ଗୌତମ ବାରହା ଶିକାର କରିବାକୁ ଯାଇ ନିଖୋଜ ଘଟଣାକୁ ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି । ସେପଟେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।
ସୂଚନା ଅନୁସାରେ, ଗାଁର ବୀର ସିଂ ସହିତ ଜଙ୍ଗଲକୁ କାଠ ଆଣିବା ପାଇଁ ନୁହେଁ ବରଂ ବାରହା ଶିକାର କରିଯାଇଥିବା ବେଳେ ଗୌତମ ନିଖୋଜ ହୋଇଥିଲେ । ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟେ ଆହତ ହୋଇଥିଲେ । ଘଟଣାସ୍ଥଳରେ ଗୌତମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ହେଲେ ଆହତ ଅବସ୍ଥାରେ ବୀର ସିଂଙ୍କୁ ପ୍ରଥମେ ସୁବର୍ଣ୍ଣପୁର ଓ ପରେ ବୁର୍ଲାକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଘଟଣାକୁ ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଗୌତମଙ୍କ ଟେର ପାଉନି ପୋଲିସ । ଗୌତମଙ୍କ ମୃତଦେହକୁ ବି ଉଦ୍ଧାର କରାଯାଇପାରିନି ।