ଓଡିଶା

odisha

ଟାୱାର ସ୍ଥାନାନ୍ତର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ ଓ ବିଦ୍ୟୁତ ବିଭାଗ

By

Published : Mar 7, 2021, 8:18 PM IST

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଧୋବାବାହାଲି ଗାଁଲୋକଙ୍କ ଅଭିଯୋଗକୁ ଓପିଟିସିଏଲ ଓ ଜିଲ୍ଲା ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଟାୱେର ସ୍ଥାନାନ୍ତର ଅଭିଯୋଗ
ଟାୱେର ସ୍ଥାନାନ୍ତର ଅଭିଯୋଗ

ସୁବର୍ଣ୍ଣପୁର: ଅଭିଯୋଗ ଶୁଣୁ ନଥିବାରୁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଗାଁଲୋକେ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଧୋବାବାହାଲି ଗାଁଲୋକଙ୍କ ଅଭିଯୋଗକୁ ଓପିଟିସିଏଲ ଓ ଜିଲ୍ଲା ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଟାୱେର ସ୍ଥାନାନ୍ତର ଅଭିଯୋଗ

ଗାଁ ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ଗ୍ରିଡ଼ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ବି ବିଭାଗୀୟ କର୍ତ୍ତୃପକ୍ଷ ଅବା ଜିଲ୍ଲା ପ୍ରଶାସନ ଗାଁଲୋକଙ୍କ ଦାବି ନଶୁଣି ବିଦ୍ୟୁତ କାର୍ଯ୍ୟ ଆଗେଇ ନେଉଥିଲେ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଆଖି ଆଗରେ ରଖି ପୋଲିସ ସହଯୋଗରେ ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାରରେ ତାର ଟାଣିଥିଲେ। ଫଳରେ ଅନ୍ୟ ଉପାୟ ନପାଇ ଗାଁଲୋକେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଗାଁର ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ର ଓ ଖେଳ ପଡିଆ ଉପରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ 132 କେଭି ବିଦ୍ୟୁତ ତାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଗାଁ ଲୋକେ ଆନ୍ଦୋଳନ କରିଥିଲେ ।

ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ ଓ ବିଦ୍ୟୁତ ବିଭାଗ
ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ ଓ ବିଦ୍ୟୁତ ବିଭାଗ

ପୂର୍ବରୁ ଜିଲ୍ଲା ପ୍ରଶାସନରୁ ଆରମ୍ଭ କରି ଓପିଟିସିଏଲ ପରିଚାଳନା ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଟାୱାରକୁ ସ୍ଥାନାନ୍ତର କରିବା ପାଇଁ ଅଭିଯୋଗ ହୋଇଥିଲା। ହେଲେ ଓପିଟିସିଏଲ କର୍ତ୍ତୃପକ୍ଷ ଗାଁଲୋକଙ୍କ ଗୁହାରିକୁ ଶୁଣି ନଥିଲେ। ଗାଁଲୋକେ ରାଜ୍ୟ ଶକ୍ତି ବିଭାଗ ପାଖରେ ଅଭିଯୋଗ କରିବା ପରେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଓପିଟିସିଏଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଜଣେଇବା ପାଇଁ 18 ଅକ୍ଟୋବର 2019ରେ ନିର୍ଦ୍ଦେଶ ଦେଇଥିଲେ।

ହେଲେ ସେହି ନିର୍ଦ୍ଦେଶକୁ ବେଖାତିର କରିବା ସହ ଗାଁଲୋକଙ୍କ ଆନ୍ଦୋଳନକୁ ଖାତିର ନକରି ଓପିଟିସିଏଲ ପୁଣି ସେହି ଟାୱେରରେ ନୂତନ ତାର ଟାଣିଥିଲେ। ଓପିଟିସିଏଲର ଏହି କାର୍ଯ୍ୟର ପ୍ରତିବାଦ କରିବା ସହିତ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ଧୋବାବହାଲି ଉନ୍ନୟନ ପରିଷଦ ଧମକ ଦେଇଛନ୍ତି।

ତେବେ ଗାଁଲୋକଙ୍କ ଧମକକୁ ଖାତିର ନକରି ବିଦ୍ୟୁତ ବିଭାଗ କାର୍ଯ୍ୟକୁ ଆଗେଇ ନେବା ପରେ ଗାଁ ଲୋକଙ୍କ ତରଫରୁ ଆଇନଜୀବୀ ଗୋରେଖ ନାଥ ସାହୁ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ନ୍ୟାୟାଳୟ ଆବେଦନକୁ ଗ୍ରହଣ କରି ଜିଲ୍ଲା ପ୍ରଶାସନକୁ ନୋଟିସ ଜାରି କରିଛି। ଏବେ କେବଳ ଉଚ୍ଚ ନ୍ୟାୟାଳୟ ହିଁ ଗାଁଲୋକଙ୍କୁ ସହଯୋଗ କରିବା ଆଶା କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details