ସୁବର୍ଣ୍ଣପୁର: ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଏବେ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଧାନ ବିକ୍ରି ଜୋର ଧରିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 4ଲକ୍ଷ 70 ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ସୂଚନା ଦେଇଛି ଜିଲ୍ଲା ଯୋଗାଣ ବିଭାଗ । ଚାଷୀମାନେ ଧାନ ଖଳାରୁ ହିଁ ବିକ୍ରି ପାଇଁ ସିଧାସଳଖ ଧାନ ମଣ୍ଡିକୁ ନେଉଛନ୍ତି । ତେବେ ବିଭିନ୍ନ କୃଷି ସମବାୟ ସମିତିରେ ଚାଷୀମାନେ ପାଉଥିବା ଟୋକନରେ ସମସ୍ୟା ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି ।
ସଅଳ ଅମଳ କରିଥିବା କେତେକ ଚାଷୀ ଟୋକନ ପାଉ ନଥିବାବେଳେ ଧାନ ଅମଳ କରିଥିବା ଚାଷୀମାନଙ୍କୁ ଶୀଘ୍ର ଟୋକନ ମିଳୁଥବା ଅଭିଯୋଗ କରିଛନ୍ତି କିଛି ଚାଷୀ । ଏହିପରି ବିନିକା ବ୍ଲକ ଚରଦା ଗାଁର ଚାଷୀ ଟୋକନ ସମସ୍ୟା ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି ଟୋକନ ସମସ୍ୟାର ସମାଧାନ ହୋଇପାରିନାହିଁ । ତେବେ ଟୋକନ ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ବରରେ ନ କରି ଜିଲ୍ଲାରେ କରିବା ପାଇଁ ଦାବି କରିଛନ୍ତି ବିଭିନ୍ନ କୃଷକ ସଂଗଠନ ।