ସୁବର୍ଣ୍ଣପୁର ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା ସୁବର୍ଣ୍ଣପୁର: ଜିଲ୍ଲା ଲୋକ ମହୋତ୍ସବ 2023ର ତୃତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକାରଣ୍ୟ ହୋଇ ପଡିଥିଲା ମହୋତ୍ସବ ପଡିଆ । ହଜାର ହଜାର ଦେଖଣାହାରୀ ସାଂସ୍କୃତିକ ମଞ୍ଚ ଆଗରେ ନାଚଗୀତର ମଜା ନେଇଥିଲେ । ପଲ୍ଲିଶ୍ରୀ ମେଳାର ପ୍ରଦର୍ଶନୀ ଦେଖିବା ସହିତ ଘରକରଣା ସାମଗ୍ରୀ କିଣିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ନିମନ୍ତ୍ରୀତ ଅତିଥିମାନଙ୍କ ସାଂସ୍କୃତିକ ବାର୍ତ୍ତା ପ୍ରଦାନ ପରେ ଆରମ୍ଭ ହୋଇଥିଲା ନାଚଗୀତର ଆସର । ଆଦ୍ୟରେ ଦେବୀ ମା' ସୁରେଶ୍ବରୀଙ୍କ ଭଜନ ପରିବେଷଣ ପରେ ପୁରୀରୁ ଆସିଥିବା କଳାକାରମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ପରେପରେ ସ୍ଥାନୀୟ କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ କନ୍ଧମାଳର ଆଦିବାସୀ ନୃତ୍ୟ, କୋରାପୁଟର ଢେମସା ନୃତ୍ୟ ପରିବେଷଣ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:କଟକରେ ମାଆ-ପୁଅଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ
ସେହିପରି ସମ୍ବଲପୁରର ପ୍ରତିଷ୍ଠିତ ଅନୁଷ୍ଠାନ ରଂଗଫରୁଆ ଓ ବରଗଡ ଜିଲ୍ଲାର କଳାଜିବୀ ଅନୁଷ୍ଠାନ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ । ଢୋଲ, ନିଶାନ, ତାସା ଓ ମହୁରୀ ଆଦିର ଗୁରୁଗମ୍ଭିର ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ମହୋତ୍ସବ ପଡିଆ । କଳାକାରଙ୍କ ନୃତ୍ୟରେ ବିଳମ୍ବିତ ରାତିଯାଏଁ ବାନ୍ଧି ହୋଇ ରହିଥିଲେ ଦେଖଣାହାରୀ । ପଶ୍ଚିମ ଓଡିଶାର ଲୋକବାଦ୍ୟର ତାଳେ ତାଳେ ରସରକେଲୀ, ଡାଲଖାଇ, ମାଏଲାଜଡ, ଚୁଟକୁଚୁଟା ତଥା ବଜାଶାଲ ଆଦି ଗୀତରେ କଳାକାରମାନେ ଚିତ୍ତାକର୍ଷକ ଲୋକନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ରାମେଶ୍ୱର ଷ୍ଟାଡିଅମରେ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଏହି ଉତ୍ସବକୁ ପ୍ରଥମ ସନ୍ଧ୍ୟାରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ ଉଦଘାଟନ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିବ ଡ୍ରୋନ୍, ଅର୍ଥ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ତେବେ ପ୍ରଥମ ଥର ପାଇଁ ସହରର ଶ୍ରୀ ରାମେଶ୍ବର ପୀଠ ନିକଟସ୍ଥ ମିନି ଷ୍ଟାଡିୟମରେ ଏହି ମହୋତ୍ସବ ପାଳନ କରାଯାଉଛି । ଆଉ ଦୁଇଦିନ ଧରି ମହୋତ୍ସବ ଉପଭୋଗ କରିବାର ସୁଯୋଗ ନେବେ ଜିଲ୍ଲାବାସୀ । ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମହୋତ୍ସବର କଳେବର ଦିନକୁ ଦିନ ବୃଦ୍ଧି ହୋଇ ଚାଲିଥିବା ବେଳେ ଜିଲ୍ଲାର ଅର୍ଥନୈତିକ ପ୍ରଗତିର ଏହା ସୂଚନା ଦେଉଛି ନିଶ୍ଚିତ ।
ଇଟିଭି ଭାରତ, ସୁବର୍ଣ୍ଣପୁର