ସୁବର୍ଣ୍ଣପୁର:ସହରର ୟୁକୋ ବ୍ୟାଙ୍କରେ ନକଲି ସୁନା ବନ୍ଧକ ପକାଇ ଋଣ କରିଥିବା ଘଟଣା । ଏନେଇ ତିନି ଜଣ ଅଭିଯୁକ୍ତଙ୍କୁ ଗତକାଲି(ଶନିବାର) ସଦର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ସିଲାଟି ଗାଁର ବିରେନ୍ଦ୍ର ସରାଫକୁ ବଲାଙ୍ଗୀର ଜିଲ୍ଲା ଆମ ଝରନ ଗାଁରୁ ପୋଲିସ ଗିରଫ କରିଛି । ସେହିପରି ନକଲି ସୁନା କାରବାରରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ରାମଚନ୍ଦ୍ର ବଣିଆଁ ଓ ହରିଚରଣ ପୋଢକୁ ତାଙ୍କ ନିଜ ଗାଁ ବରଗଡ ଜିଲ୍ଲା ରୁଷୁଡାରୁ ଗିରଫ କରିଛି । ଗତ ଶୁକ୍ରବାର ରାତିରେ ସଦର ଥାନା ପୋଲିସ ବିଭିନ୍ନ ଯାଗାରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି ।
ସୂଚନା ମୁତାବକ, ଗତ 14 ନଭେମ୍ବର 2021 ମସିହାରେ ଅଭିଯୁକ୍ତମାନେ ସହରର ୟୁକୋ ବ୍ୟାଙ୍କରୁ 19 ଲକ୍ଷ ଟଙ୍କା ସୁନା ଋଣ କରିଥିଲେ । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ସୁନା ପରୀକ୍ଷା କରିବା ସମୟରେ ଅଭିଯୁକ୍ତମାନେ ନକଲି ସୁନା ବନ୍ଧକ ଦେଇ ଟଙ୍କା ନେଇଥିବା ଜଣା ପଡିଥିଲା । ଏନେଇ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ ନାଏକ ନକଲି ସୁନା ଦେଇ ଟଙ୍କା ଋଣ କରି ଠକେଇ ହୋଇଥିବା ସଂପର୍କରେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏ ସଂପର୍କରେ ତଦନ୍ତ କରି ପୂର୍ବରୁ କିଛି ଠକ ଋଣୀ ଓ ବଣିଆଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହା ମଧ୍ୟ ପଢନ୍ତୁ- କଂଗ୍ରେସ ପାଇଁ ବିଜୟଠୁ କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ ! ଲବିରେ ଦୁଇ ହେଭିଓ୍ବେଟ