ସୁବର୍ଣ୍ଣପୁର: ଜିଲ୍ଲାରେ ଗତ ରବି ଋତୁରେ ପ୍ରାୟ ଅଢେଇ ହଜାର ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି । ଚାଷୀମାନେ ନିଜ ଉତ୍ପାଦିତ ଧାନ ସ୍ବୟଂ ସହାୟକ ଗୋଷ୍ଠୀ ଅବା ସେବା ସମବାୟ ସମିତି ମାଧ୍ୟମରେ ବିକ୍ରୀ କରି ପାରିନାହାନ୍ତି । ବାଙ୍କିପାଲି ସ୍ବୟଂ ସହାୟକ ଗୋଷ୍ଠୀ ଚାଷୀମାନଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ କରିବାରେ ବିଫଳ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ସ୍ବୟଂ ସହାୟକ ଗୋଷ୍ଠିର ମନମୁଖୀ କାର୍ଯ୍ୟ ଓ ଚାଷୀମାନଙ୍କ ଟୋକନ ଲ୍ୟାପ୍ସ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଗତ ରବି ଋତୁରେ ଧାନ ବିକ୍ରୀ ପାଇଁ 30 ହଜାର 22 ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିଲେ । ହେଲେ 27 ହଜାର 501 ଜଣ ଚାଷୀ ନିଜ ଧାନବିକ୍ରୀ କରି ଥିବାବେଳେ ବାକି ଚାଷୀମାନେ ବିଭିନ୍ନ କାରଣରୁ ନିଜ ଉତ୍ପାଦିତ ଧାନବିକ୍ରୀ କରି ପାରିନାହାନ୍ତି । ପଞ୍ଜିକୃତ ହୋଇଥିବା 2 ହଜାର 521 ଜଣ ଚାଷୀ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନବିକ୍ରୀ କରିନପାରି ଅଭାବୀ ବିକ୍ରୀର ଶିକାର ହୋଇଛନ୍ତି ।