ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟ ସମଳାଇ ଗ୍ରାମ ପଞ୍ଚାୟତର ସାରସଦାଦର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ଦୁଇ ଯୁବକକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏହି ଘଟଣାରେ ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ହାତୀ ମୃତ୍ୟୁ ମାମଲାରେ ତିନି ଯୁବକଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରିବା ପରେ ସାରସଦାଦର ଗାଁର ଦୁଇଜଣ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଥିଲା ।
ବନ ବିଭାଗ ଏମାନଙ୍କ ପାଖରୁ 9 କେଜି ଖୋଲା ବିଦ୍ୟୁତ ତାର ଜବତ କରିଛି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଯାଲୋଏ ଫରେଷ୍ଟର ଜନାର୍ଦ୍ଦନ ସ୍ବାଇଁ ଓ କୋଟ ସମଳାଇ ବନରକ୍ଷୀ ପ୍ରଜ୍ଞା ପରାମିତା ମିଶ୍ରଙ୍କୁ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ନିଲମ୍ବିତ କରିଛନ୍ତି । ଜଙ୍ଗଲରେ ଏହି ଦୁଇ ଅଭିଯୁକ୍ତ ବିଦ୍ୟୁତ ତାର ବିଛାଇ ହାତୀଟିକୁ ଶୀକାର କରିଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ହାତୀଟିର ଦୁଇ ଦାନ୍ତ କାଟି ନେଇ ଯାଇଥିଲେ।