ସୁବର୍ଣ୍ଣପୁର:ଆଜି ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଆଜି ୧୨ ଘଣ୍ଟିଆ ଚକ ଅଖ ବନ୍ଦ ପାଳନ କରାଯାଉଛି । ଶତାଧିକ ସଂଖ୍ୟାରେ ଡ୍ରାଇଭରମାନେ ଜିଲ୍ଲାର ଅର୍ଜୁନପୁର, ହିକୁଡି ଓ ମନମୁଣ୍ଡା ପ୍ରଵେଶପଥରେ ମୋଟର ସାଇକଲ ଅଟକାଇବା ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂଘର ସଭାପତି ସନ୍ତୋଷ କୁମାର ମହାକୁଡ଼ଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ଶହ ଶହ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଡ୍ରାଇଭରଙ୍କ ଦାବି ପୂରଣ ନ ହେବା ଯାଏଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇ ଏହି ଆନ୍ଦୋଳନ କରୁଛନ୍ତି ।
ଗତ କିଛିଦିନ ତଳେ ଡ୍ରାଇଭର ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲା ପ୍ରଶାସନ ଆଗରେ ସଂଘର ଦାବି ଉପସ୍ଥାପନ କରିଥିଲେ । ହେଲେ ଦାବି ପୂରଣ ନ ହେବା ସହିତ ଡ୍ରାଇଭର ସଙ୍ଘ ସହିତ ପ୍ରଶାସନ କୌଣସି ଆଲୋଚନା ବି ନକରିବାରୁ ଆଜି ଏହି ବନ୍ଦ ପାଳନ କରାଯାଇଛି । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା, ଅକର୍ମଣ୍ୟ ହେଉଥିବା ଡ୍ରାଇଭରମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ପ୍ରଦାନ କରିବା, ସାମାଜିକ ସୁରକ୍ଷା ଯୋଗାଇ ଦେବା, ସହରାଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପାର୍କିଂ ବ୍ୟବସ୍ଥା କରିବା, ରାଜ୍ୟ ରାଜପଥରେ ପ୍ରତି କିଲୋମିଟର ଅନ୍ତରରେ ପାର୍କିଂ, ଡ୍ରାଇଭର ବିଶ୍ରାମଗାର, ଶୌଚାଳୟ ଆଦିର ବ୍ୟବସ୍ଥା କରିବା, ଡ୍ରାଇଭିଂ ଲାଇସେନ୍ସ ଫି ୧୫ ହଜ଼ାରରୁ ହ୍ରାସ କରିବା, ଡ୍ରାଇଭର ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ପିଲାଛୁଆଙ୍କ ଶିକ୍ଷା ମାଗଣାରେ ପ୍ରଦାନ କରିବା, ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ସାଙ୍ଗକୁ ଦ୍ଵିତୀୟ ସୈନିକର ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।