ସମ୍ବଲପୁର: ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହେଉଛି ହୁମାସ୍ଥିତ ବିମଳେଶ୍ବର ବାବାଙ୍କ ମନ୍ଦିର। ଏହି ଶିବ ମନ୍ଦିରର ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯାହା ଏହି ମନ୍ଦିରକୁ ଅନ୍ୟଙ୍କ ଠାରୁ ଭିନ୍ନ କରାଏ ତାହା ହେଉଛି ମନ୍ଦିରର ବକ୍ରତା । ମନ୍ଦିରଟି ଉତ୍ତର-ପୂର୍ବକୁ 46 ଡିଗ୍ରୀ ଢଳି ହୋଇ ରହିଥିବାର ଦେଖିବାକୁ ମିଳେ। ଏହା ଆଜି କି କାଲି ନୁହେଁ ବରଂ ଆରମ୍ଭରୁ ହିଁ ମନ୍ଦିରଟି ଏପରି ବକ୍ର। ଏହି ବକ୍ର ମନ୍ଦିର ଦୂର ଦୂରରୁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ ।
ସହରରୁ ପ୍ରାୟ 30 କିଲୋମିଟର ଦୂରରେ ସ୍ଥିତ ଏହି ମନ୍ଦିରକୁ ବର୍ଷତମାମ ଲୋକଙ୍କ ସୁଅ ଛୁଟୁଥିବା ବେଳେ ଶୀତ ଦିନେ ବି କମିନି ଲୋକଙ୍କ ଭିଡ। କେବଳ ବକ୍ର ମନ୍ଦିର ଯେ ଏହାର ଆକର୍ଷଣର କେନ୍ଦ୍ର ବିନ୍ଦୁ ତାହା ନୁହେଁ, ଏହି ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି ଏଠାରେ ଥିବା କୁଢ ପ୍ରଜାତିର ସ୍ବତନ୍ତ୍ର ମାଛ। କୁହାଯାଏ କି ଏହି ମାଛକୁ ସମସ୍ତେ ଖାଇବାକୁ ଦେଇପାରିବେ କିନ୍ତୁ କ୍ଷତି ପହଞ୍ଚାଇବାକୁ କେହି ସାହସ କରନ୍ତିନି। କାରଣ ଯିଏ ଏହି ମାଛକୁ କ୍ଷତି ପହଞ୍ଚାଏ ସେ ପରବର୍ତ୍ତୀ ସମୟରେ ପଥର ପାଲଟିଯାଏ।