ସମ୍ବଲପୁର: ଦୀର୍ଘ ଦିନ ହେବ ପଶ୍ଚିମ ଓଡିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ପ୍ରତିଷ୍ଠା ନେଇ ଆନ୍ଦୋଳନ ହୋଇଆସୁଛି । ଏହି କ୍ରମରେ ଶନିବାର ସମ୍ବଲପୁର ସିଏସସିର ଡାକରାରେ ସମ୍ବଲପୁର ଓକିଲ ସଂଘ ଓ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 3 ଦିନ ପାଇଁ ବନ୍ଦ ଡାକରା ଦିଆଯାଇଛି । ପ୍ରତି ମାସର ଶେଷ 3 ଦିନ କାର୍ଯ୍ୟ ଦିବସରେ ଓକିଲ ସଂଘ ଆନ୍ଦୋଳନ କରୁଥିବାବେଳେ ଶନିବାର ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାରା ଜିଲ୍ଲାରେ ଅଚଳାବସ୍ଥା ସୃଷ୍ଟି କରିଥିଲା । ସମ୍ବଲପୁର ସିଏସିର ଏହି ବନ୍ଦ ଡାକରାରେ ଶନିବାର ଠାରୁ 24 ତାରିଖ ଯାଏଁ 3 ଦିନ ସବୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ ।
ତେବେ ଆଜିର ଏହି ବନ୍ଦ ଡାକରାରେ ନାଗରିକ କ୍ରିୟାନୁଷ୍ଠାନ କମିଟିର ସଭ୍ୟ ମାନେ କଚେରୀ ଛକ ଠାରେ ଧାରଣା ଦେବା ସହ ବିଭିନ୍ନ ସରକାରୀ ଅଫିସ ଆଗରେ ପିକେଟିଂ କରି ସେ ସବୁକୁ ବନ୍ଦ କରି ଦେଇଥିଲେ । ଏହା ସହ ଆନ୍ଦୋଳନ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିଲା । ତେବେ ଚଳିତ ମାସ ଠାରୁ ଆନ୍ଦୋଳନରୁ ଆର୍ଥିକ କାରବାର ହେଉଥିବା ସଂସ୍ଥା ଗୁଡିକ ବାଦ ଦିଆଯାଇଥିଲା । ଏଥିସହ ବିଭିନ୍ନ ସରକାରୀ, ବେସରକାରୀ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟକୁ ବନ୍ଦରୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।