ସମ୍ବଲପୁର:ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ପର୍ବକୁ ନେଇ ସାରା ଦେଶ ଆଜି ଉତ୍ସବ ମୁଖର । ଭାଇ ମାନଙ୍କ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା କରିବାର ସଂକଳ୍ପ ଭାଇଠୁ ନେଇଥାଏ । କିନ୍ତୁ ଏହି ରକ୍ଷା ବନ୍ଧନ ଉତ୍ସବକୁ ସମ୍ବଲପୁରର ବୁଢ଼ାରାଜା ପାହାଡ଼ ବନ ସୁରକ୍ଷା ସମିତିର ସଦସ୍ୟମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଗଛକୁ ରାକ୍ଷୀ ବାନ୍ଧିବା ସହ ଗଛଗୁଡ଼ିକର ସୁରକ୍ଷା ପାଇଁ ସଂକଳ୍ପ ନେଇଛନ୍ତି l
ତେବେ ସମ୍ବଲପୁର ସହରର ବୁଢ଼ାରାଜା ପାହାଡ଼ରେ ବିଭିନ୍ନ ପ୍ରଜାତିର ବିରାଟକାୟ ବୃକ୍ଷ ଠିଆ ହୋଇଛି । ତେଣୁ ଏହାକୁ ସହରର ଅକ୍ସିଜେନ ପ୍ଲାଣ୍ଟ ବୋଲି ମଧ୍ୟ କୁହାଯାଏ l ପ୍ରତ୍ୟେକ ବର୍ଷ ରକ୍ଷା ବନ୍ଧନ ଅବସରରେ ଏହି ପାହାଡରେ ଥିବା ଗଛଗୁଡିକୁ ରାକ୍ଷୀ ବନ୍ଧା ଯାଇଥାଏ l ବୁଢ଼ାରାଜା ପାହାଡ଼ ବନ ସୁରକ୍ଷା ସମିତିର ଉଦ୍ୟମରେ ସଦସ୍ୟ ଓ ସ୍ଥାନୀୟମହିଳା ମାନେ ଏହି ପାହାଡ଼ରେ ଥିବା ଗଛଗୁଡ଼ିକୁ ରାକ୍ଷୀ ବାନ୍ଧିବା ସହ ଗଛଗୁଡ଼ିକର ସୁରକ୍ଷା ପାଇଁ ସଂକଳ୍ପ ନିଅନ୍ତି l ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏଠାରେ ଘଣ୍ଟ ଶଙ୍ଖ, ହୁଳହୁଳି ସହ ପୂଜାର୍ଚ୍ଚନା କରାଯାଇ ଗଛ ଗୁଡିକୁ ରାକ୍ଷୀ ବାନ୍ଧିଛନ୍ତି ଲୋକେ l ଆଉ ସହରରେ ପାଳନ ହେଉଥିବା ଏହି ନିଆରା ରକ୍ଷା ବନ୍ଧନ ଦୀର୍ଘ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି । ପ୍ରତିବର୍ଷ ପରିବେଶ ସୁରକ୍ଷା ସହ ବୄକ୍ଷଙ୍କୁ ସୁରକ୍ଷା ଯୋଗାଇବାର ମହତ୍ ବାର୍ତ୍ତା ଦେବା ପାଇଁ ରକ୍ଷାବନ୍ଧନ ଅବସରରେ ଏହା ପାଳନ ହୋଇ ଆସୁଛି ।